ଭୁବନେଶ୍ବର: ଟ୍ରଫ୍ ଲାଇନ ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଛି । ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଥାଇଲାଣ୍ଡ ଉପକୂଳରେ ଆଜି(ଶନିବାର) ସୃଷ୍ଟି ହୋଇଛି ଏକ ଲଘୁଚାପ ବଳୟ । ଏହା ଆସନ୍ତା ୧୫ ତାରିଖ ସୁଦ୍ଧା ଆଣ୍ଡାମାନ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ପରେ ଆହୁରି ଘନୀଭୂତ ହୋଇ ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ସେପଟେ ତାମିଲନାଡୁରୁ ଗାଙ୍ଗେୟଟିକ ପଶ୍ଚିମବଙ୍ଗ ଦେଇ ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ଉପରେ ଦେଇ ଯାଇଥିବା ଟ୍ରପ ଲାଇନ ପ୍ରଭାବରେ ଏବେ ରାଜ୍ୟରେ ବର୍ଷା ଜାରି ରହିଛି । ଆସନ୍ତା ୪୮ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
ଅନ୍ୟପଟେ ଲଗାତାର ବର୍ଷା ହେତୁ ଫସଲ ନଷ୍ଟ ନେଇ ପରାମର୍ଶ ଦେଇଛନ୍ତି କୃଷି ବିଶେଷଜ୍ଞ । ନଭେମ୍ବର ମାସରେ ଏକାଧିକ ଲଘୁଚାପ ସୃଷ୍ଟି ହୋଇଛି। ନଭେମ୍ବର ମାସରେ ଗତ ୯ ତାରିଖରେ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଆଜି(ଶନିବାର) ପୁଣି ଏକ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇଛି । ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଥାଇଲାଣ୍ଡ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା କ୍ରମେ ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗରରେ୧୫ ତାରିଖ ବେଳକୁ ଅବପାତରେ ପରିଣତ ହେବ । ସେହି ସମାନ ଦିଗରେ ଗତି କରି ୧୮ ତାରିଖ ଆଡକୁ ଆହୁରି ଘନୀଭୂତ ହୋଇ ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଫଳରେ ୧୭ ତାରିଖରୁ ବର୍ଷା ପୁଣି ବଢିବ । ଆସନ୍ତାକାଲି(ରବିବାର) ସକାଳ ୮ ଟା ୩୦ ପର୍ଯ୍ୟନ୍ତ ଖୋର୍ଦ୍ଧା, ପୁରୀ ଓ ଗଞ୍ଜାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହାସହ ନୟାଗଡ଼, ଗଜପତି, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।