ଭୁବନେଶ୍ବର: ଆସନ୍ତା 48 ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ବିଶେଷ କରି ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, କଟକ, କନ୍ଧମାଳ, ମାଲକାନଗିରି, କୋରାପୁଟ, ଜଗତସିଂହପୁର, ମୟୂରଭଞ୍ଜ ଏବଂ କେନ୍ଦ୍ରାପଡା ଜିଲ୍ଲାର କିଛି ସ୍ଥାନରେ ଆସନ୍ତା 24 ଘଣ୍ଟା ସୁଦ୍ଧା ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।
48 ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ! ସେହିପରି ପୁରୀ, ବୌଦ୍ଧ, ଯାଜପୁର, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର, ଗଜପତି, ବାଲେଶ୍ବର, ନୂଆପଡା, ନବରଙ୍ଗପୁର, ଅନୁଗୋଳ ଏବଂ କଳାହାଣ୍ଡି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଣୁ ସେହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
18 ରୁ 19 ତାରିଖ ମଧ୍ୟରେ ପ୍ରଚୁର ବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡିକ ହେଲା ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, କେନ୍ଦୁଝର, ସୋନପୁର, ଅନୁଗୋଳ, ନୂଆପଡା ଏବଂ ବଲାଙ୍ଗୀର । 19 ରୁ 20 ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ କମିବ । କେବଳ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ବିଜୁଳି ଘଡିଘଡି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ତଥା ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସକ୍ରିୟ ରହିଛି । ଏହା ଆଗାମୀ 48 ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଓଡିଶାର ଉପରୋକ୍ତ ସ୍ଥାନରେ 48 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ