ଭୁବନେଶ୍ବର:ରାଜ୍ୟରେ ବଢି ଚାଲିଛି ରୌଦ୍ରତାପ ।ସକାଳ ୯.୦୦ଟା ପରେ ଘରୁ ବାହାରିବା କଷ୍ଟ ହୋଇପଡିଥିବା ବେଳେ ଖରାରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ । ଆକାଶରୁ ହେଉଥିବା ଅଗ୍ନି ବର୍ଷା ପେଟପାଟଣା ପାଇଁ ବାହାକୁ ବାହାରୁଥିବା ମଣିଷ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି ।
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଖଟିଖିଆ ଶ୍ରମିକ ସମସ୍ତଙ୍କ ଜୀବନ ଅସହ୍ୟ ହୋଇପଡିଛି । ଆଉ ଖରାର କୋପକୁ ନେଇ ତ୍ରାହି ତ୍ରାହି ହେଉଛନ୍ତି ରାଜ୍ୟବାସୀ । ଆଜି ୨୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସେହିପରି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ, ଆଭ୍ୟନ୍ତରୀଣ ଓଡ଼ିଶାରେ ବିଶେଷ ଖରା ତାତି କମିବ ନାହିଁ । ଏଥିସହ ଆଗାମୀ ୨ ଦିନ ଭିତରେ ୨ ଡିଗ୍ରୀ ପର୍ଯ୍ୟନ୍ତ ତାତି ଆହୁରି ବଢିବ ବୋଲି କୁହାଯାଇଛି ।
ତେବେ ଉପକୂଳ ଓଡ଼ିଶାରେ ଆଗାମୀ ଦୁଇ ଦିନରେ ୨ ଡିଗ୍ରୀ ତାତି କମିବା ନେଇ କହିଛି ପାଣିପାଗ ବିଭାଗ । ଏଥିସହ ସାମୁଦ୍ରିକ ବାୟୁର ପ୍ରଭାବ ଉପକୂଳ ଓଡିଶାରେ ପ୍ରବାହ ହେଉଥିବାରୁ ତାତି କମିବା ନେଇ ଆକଳନ କରାଯାଉଛି । ଏପଟେ ଆଜି ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୯.୬ ଡିଗ୍ରୀ ରହିଥିବା ବେଳେ ଗତକାଲି ରାଜ୍ୟରେ ୮ଟି ସହର ଦିନ ତାପମାତ୍ରା ୪୩ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା ।