ଭୁବନେଶ୍ବର: ପ୍ରବଳ ଗ୍ରୀଷ୍ମପ୍ରବାହରେ ଜଳୁଛି ଆଭ୍ୟନ୍ତରୀଣ ଓଡିଶା । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ଉପରେ ରହୁଛି ପାରଦ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର । ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ବିଶେଷ କରି ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ଼ ଏବଂ ଝାରସୁଗୁଡାରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିଭଳି ୬ ଏବଂ ୭ ତାରିଖରେ ୪ଟି ଜିଲ୍ଲାକୁ ଗ୍ରୀଷ୍ମ ଲହରୀ ସତର୍କତା ଜାରି କରାଯାଇଛି । ସେପଟେ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଉପକୂଳବର୍ତ୍ତୀ ଜିଲ୍ଲା ବାସିନ୍ଦା । ଦିନର ତାପମାତ୍ରା ୩୬ ରୁ ୩୯ ଡିଗ୍ରୀ ରହୁ ଥିବାବେଳେ ବାୟୁମଣ୍ଡଳରେ ଆର୍ଦ୍ରତା ୬୦ ରୁ ୭୦ ପ୍ରତିଶତ ରହୁଛି । ଫଳରେ ଆଭ୍ୟନ୍ତରୀଣ ଓଡିଶା ସମେତ ଉପକୂଳ ଓଡିଶାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।