ଭୁବନେଶ୍ବର: ଖୁବ ଶୀଘ୍ର କ୍ୟାପିଟାଲ୍ ହସ୍ପିଟାଲରେ କାର୍ଯ୍ୟକ୍ଷମ ହେବ ହାର୍ଟ ସର୍ଜରୀ ବିଭାଗ । ଏଥିପାଇଁ ସରକାରୀ ସ୍ତରରେ ପ୍ରକାଶ ପାଇଛି ତତ୍ପରତା । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।
ସାଧାରଣ ଲୋକଙ୍କୁ ଉନ୍ନତମାନର ହାର୍ଟ କେୟାର ସୁବିଧା ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫ୍ ନିଯୁକ୍ତ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି । ଏଥିସହିତ 15 ଜଣ ନର୍ସଙ୍କୁ ଆଇସିୟୁ ମ୍ୟାନେଜମେଣ୍ଟ ଟ୍ରେନିଂ ମଧ୍ୟ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୩୦ ଶଯ୍ୟା ବିଶିଷ୍ଟ କାର୍ଡିଆକ୍ କେୟାର ୟୁନିଟ୍ ଆରମ୍ଭ କରିବାକୁ ସରକାର ଯୋଜନା କରିଥିବାବେଳେ ସେଥିମଧ୍ୟରୁ 15ଟି ପୁରୁଷ ରୋଗୀ ଏବଂ ବାକି 15ଟି ମହିଳା ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ହେବ । ଏଥିସହିତ 10 ଜଣ ହାଉସ୍କିପି୍ଂ ଷ୍ଟାଫ୍ଙ୍କ ସହ କ୍ୟାଥ୍ଲ୍ୟାବ୍, ଇସିଜି, ଇକୋ, ଟିଏମ୍ଟି ଟେକ୍ନିସିଆନ୍ ନିଯୁକ୍ତି ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସେହିପରି ସଂକ୍ରମଣ ରୋକିବା ପାଇଁ ଷ୍ଟେରିଲାଇଜେସନ୍ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି ।