ଭୁବନେଶ୍ବର: ରାଜ୍ୟକୁ କୋରୋନା ଟିକା ଯୋଗାଣ ଅତ୍ୟନ୍ତ କମ୍ ରହିଛି । ଯାହାଫଳରେ ଟିକାର ଅଭାବ ସୃଷ୍ଟି ହୋଇଛି । କମ୍ ଯୋଗାଣ ହେତୁ ଓଡି଼ଶା ସଙ୍କଟର ସମ୍ମୁଖୀନ ହୋଇଛି । ଏଣୁ ତୁରନ୍ତ ରାଜ୍ୟକୁ ଟୀକା ଯୋଗାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ।
ଓଡି଼ଶା 50 ଲକ୍ଷ 79 ହଜାର 650 ଡୋଜ ଟିକା ଗ୍ରହଣ କରିଛି । ସେଥିମଧ୍ୟରୁ 45 ଲକ୍ଷ 42 ହଜାର 870 ଡୋଜ କୋଭିଶିଲ୍ଡ ଟିକା ଏବଂ 5,36,780 କୋଭାକ୍ସିନ ଟିକା ଅଟେ । ବର୍ତ୍ତମାନ ରାଜ୍ୟରେ କୋଭିଶିଲ୍ଡ ଟିକାର ନିଲ୍ ଷ୍ଟକ୍ ଅଛି । କେବଳ 1 ଲକ୍ଷ 74 ହଜାର 4 ଡୋଜ୍ କୋଭିଶିଲ୍ଡ ଏବଂ 2 ଲକ୍ଷ 49 ହଜାର 196 ଡୋଜ୍ କୋଭାକ୍ସିନ୍ ରାଜ୍ୟରେ ଉପଲବ୍ଧ ରହିଥିବାବେଳେ ଟୀକାକରଣ ମଧ୍ୟ ଜାରି ରହିଛି । କୋଭିଶିଲ୍ଡର ବାଲାନ୍ସ ଷ୍ଟକ୍ କେବଳ ଗୋଟିଏ ଦିନ ରହିବ ।