ଭୁବନେଶ୍ବର:ଲଘୁଚାପ ପାଇଁ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ରାଜ୍ୟରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଯୋଗୁଁ ଅଧିକାଂଶ ଲୋକ ମଧ୍ୟ ଜଳବନ୍ଦୀ ହୋଇ ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ଜିଲ୍ଲା ଓ ବ୍ଲକ ସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲିବା ସହ ନୋଡାଲ ଅଧିକାରୀଙ୍କୁ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଯେଉଁ ସ୍ଥାନରେ ପାଣି ପଶିଛି କିମ୍ବା ଯେଉଁଠି ପାଣି ଘେରରେ ଲୋକ ଅଛନ୍ତି ସେଠି ସର୍ଭିଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକାରୀଙ୍କୁ ଜରୁରୀକାଳୀନ ଔଷଧ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେଉଁଠି ଝାଡ଼ା, ବାନ୍ତି ଭଳି ରୋଗ ବ୍ୟାପୁଥିଲେ ସେନେଇ ତୁରନ୍ତ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦେବେ ଜିଲ୍ଲା ଅଧିକାରୀ । ଏନେଇ ସମସ୍ତ ଜିଲ୍ଲାପାଳ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।