ଭୁବନେଶ୍ବର:ଦୁଷ୍କର୍ମ ଓ ହତ୍ୟା ଅପରାଧୀଙ୍କୁ ମିଳିବ ଅକାଳ ମୁକ୍ତି । ମୃତ୍ୟୁ ଯାଏଁ ସେମାନଙ୍କୁ ରହିବାକୁ ପଡ଼ିବନି ଜେଲର କଳା କୋଠରୀରେ । ହତ୍ୟା ଅପରାଧରେ ଆଜୀବନ ଦଣ୍ଡ ଭୋଗୁଥିବା କଏଦୀଙ୍କୁ 14 ବର୍ଷ ପରେ ଜେଲ୍ରୁ ମୁକୁଳିବାର ସୁଯୋଗ ମିଳୁଥିବା ବେଳେ ଏବେ ଏହି ସୁବିଧା ପାଇବେ ଦୁଷ୍କର୍ମ ଅପରାଧୀ । କାରାଦଣ୍ଡ ଭୋଗିବାର 14 ବର୍ଷ ପରେ ଏମାନଙ୍କୁ ଜେଲ୍ରୁ ମୁକୁଳିବାର ସୁଯୋଗ ମିଳିବ । ଏନେଇ ଆଇନ ବିଭାଗ ପକ୍ଷରୁ ଅକାଳ ମୁକ୍ତି-2022 ନିୟମାବଳୀ ଜାରି ହୋଇଛି । ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ ଗଠନ କରାଯାଇଛି ।
ଏହି ବୋର୍ଡ ପ୍ରତି ତିନି ମାସରେ ଥରେ ବସିବା ସହ ଅପରାଧୀଙ୍କ ରେକର୍ଡ ସମୀକ୍ଷା କରି ଦଣ୍ଡ କୋହଳ ପାଇଁ ସୁପାରିସ କରିବାକୁ କୁହାଯାଇଛି । ଆଜୀବନ କାରାଦଣ୍ଡ, 14 ବର୍ଷରୁ ଅଧିକ କାରାଦଣ୍ଡ ଭୋଗୁଥିବା ଅପରାଧୀଙ୍କ ଦଣ୍ଡ କୋହଳ କରିବାକୁ ନିୟମ ହୋଇଛି । ଯେଉଁମାନଙ୍କୁ ମୃତ୍ୟୁ ଦଣ୍ଡ ହୋଇନି ସେମାନଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍ରେ ନ ରଖି ମୁକ୍ତି ଦେବାକୁ ନିଷ୍ପତ୍ତି ହୋଇଛି । ଆଇପିସିର ଧାରା ୪୩୩ ଏ ଅନ୍ତର୍ଗତ ଅପରାଧୀମାନେ ଅକାଳ ମୁକ୍ତି ପାଇଁ ଯୋଗ୍ୟ ହେବେ । ଯେଉଁମାନେ ଆଇପିସିର ଧାରା 376 ଏ, 376 ଏବି, 376 ଡିଏ ଏବଂ 376 ଡିବି ଅନୁଯାୟୀ କାରାଦଣ୍ଡ ଭୋଗୁଥିବେ ସେମାନେ ମୁକ୍ତି ପାଇପାରିବେ ।
ଅକାଳ ମୁକ୍ତି ପାଇବା ପାଇଁ ଜେଲ୍ ସୁପରିଟେଣ୍ଡେଣ୍ଟ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବେ । ଏଥିରେ ଅପରାଧୀର ଅପରାଧ ରେକର୍ଡ, ଅଭ୍ୟାସରେ ପରିବର୍ତ୍ତନ, ପରିବାର ସମ୍ପର୍କିତ ରିପୋର୍ଟ, ଅପରାଧ ପରିସ୍ଥିତି, ଅପରାଧୀର ଶାରୀରିକ ଓ ମାନସିକ ସ୍ଥିତି ଆଦି ଉଲ୍ଲେଖ କରି ତା'ର ଘର ଯେଉଁ ଜିଲ୍ଲାରେ ଥିବ ସେଠାକାର ଏସପିଙ୍କ ନିକଟକୁ ପଠାଇବେ । ଏସ୍ପି ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ବାରା ଅପରାଧୀ ଓ ତା’ ପରିବାରର ସବିଶେଷ ତଥ୍ୟ ସଂଗ୍ରହ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ । କେହି ମନଇଚ୍ଛା ଅପରାଧୀର ଅକାଳ ମୁକ୍ତିକୁ ଖାରଜ କରିପାରିବେନି ।
ଏସ୍ପିଙ୍କ ରିପୋର୍ଟ ପାଇବାର 30 ଦିନ ଭିତରେ ଜିଲ୍ଲାପାଳ ଜେଲ୍ ସୁପରିଟେଣ୍ଡେଣ୍ଟଙ୍କୁ ରିପୋର୍ଟ ଦେବେ । ଏହାପରେ ଜେଲ୍ ଆଇଜି ସମସ୍ତ ରିପୋର୍ଟ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡକୁ ଦେବେ । ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା କମିଟିରେ ଆଇନ ବିଭାଗ ସଚିବ/ପ୍ରମୁଖ ସଚିବ, ଖୋର୍ଦ୍ଧା ଜିଲ୍ଳା ଜଜ୍, ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ, ଜଣେ ଅତିରିକ୍ତ ଡିଜି, ଜେଲ୍ ବିଭାଗ ଅତିରିକ୍ତ ଡିଜିଙ୍କୁ ନେଇ ଗଠିତ କମିଟି ସବୁ ରିପୋର୍ଟକୁ ବିଚାର କରି ଅପରାଧୀକୁ ଅକାଳ ମୁକ୍ତି ଦେଇପାରିବେ । ଯଦି ଥରେ କମିଟି କୌଣସି ଅପରାଧୀଙ୍କୁ ମୁକ୍ତି ଦେଲେନି ତେବେ ପରେ ସେ ପୁଣି ଏଥିପାଇଁ ଆବେଦନ କରିପାରିବେ ବୋଲି ନିଷ୍ପତ୍ତି ହୋଇଛି ।