ଭୁବନେଶ୍ବର: ଆସନ୍ତା ୨୧ରେ ରାଜ୍ୟରେ ଏକାଦଶ ଏବଂ ୨୫ରେ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ସକାଳ ୯ଟାରୁ ୧୨ଟା ୩୦ ଯାଏଁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢା ହେବ । ତେବେ ଦୀର୍ଘ ୧୮ ମାସ ପରେ ସ୍କୁଲ ଖୋଲୁଥିବାରୁ କିପରି ପିଲାଙ୍କୁ ପାଠ ପଢାଯିବ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା ।
ସ୍କୁଲ ଖୋଲିବା ପୂର୍ବରୁ ଅର୍ଥାତ୍ ୨୪ ତାରିଖ ଭିତରେ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ସମିତିର ବୈଠକ ବସିବ । ବିଦ୍ୟାଳୟ ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖାଯିବା ଉପରେ ଗୁରୁତ୍ୱ ଦିଆଯିବ । ସ୍କୁଲ ଖୋଲା ଯିବାର ପୂର୍ବ ଦିନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇବେ ପ୍ରଧାନ ଶିକ୍ଷକ । ପ୍ରଥମ ଦିନରେ ପାଠ ପଢା ହେବନାହିଁ । କେବଳ ପିଲାଙ୍କ ସହ ଆଲୋଚନା ହେବ । ଶିକ୍ଷକ ଓ ପରିଚାଳନା କମିଟି ଆଲୋଚନା କରିବେ । 27, 28 ଓ 29 ତାରିଖରେ ସ୍ୱତନ୍ତ୍ର ପରୀକ୍ଷା ଜରିଆରେ ଶିକ୍ଷଣ ସ୍ତର ଆକଳନ ହେବ । ମଧ୍ୟାହ୍ନ ଭୋଜନ ବଦଳରେ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ। 18 ମାସ ପରେ ବିଦ୍ୟାଳୟ ଖୋଲୁଥିବାରୁ ପିଲାମାନଙ୍କର ଆବେଗିକ ଓ ମାନସିକ ଅବସ୍ଥାକୁ ଦୃଷ୍ଟିରେ ରଖି ଶିକ୍ଷକମାନେ ସେମାନଙ୍କୁ ଉଚିତ୍ ମାର୍ଗଦର୍ଶନ ଦେବେ ଓ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରାଇବେ । ଏଥିପାଇଁ ବିଦ୍ୟାଳୟ ଖୋଲିବାର ପ୍ରଥମ ଦୁଇଦିନ ୨୫ ଓ ୨୬ ତାରିଖରେ ପିଲାମାନଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗୀତା, ସଂଗୀତ ଗାନ, ଚିତ୍ରାଙ୍କନ, ମାଟିକାମ, କୋଭିଡ଼ ସମୟରେ ସମୟ କିପରି ବିତାଇଲ ତା' ଉପରେ ଆଲୋଚନା କରାଯିବ । ସର୍ବୋପରି ବିଦ୍ୟାଳୟରେ ଏକ ଭୟମୁକ୍ତ ବାତାବରଣ ସୃଷ୍ଟି କରିବା ପାଇଁ ଶିକ୍ଷକମାନେ ପ୍ରଚେଷ୍ଟା କରିବେ। ଛାତ୍ରଛାତ୍ରୀମାନଙ୍କ ମନରେ ବିଦ୍ୟାଳୟ ଓ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ।
ଗତ ୧୮ ମାସ ଧରି ଛାତ୍ରଛାତ୍ରୀ ପାଠପଢ଼ା ଠାରୁ ଦୂରେଇ ରହିଥିବାରୁ ସେମାନଙ୍କର ଶିକ୍ଷଣସ୍ତର ବହୁତ କମିଯାଇଥିବ ବୋଲି ଆଶଙ୍କା କରାଯାଉଛି । ବର୍ତ୍ତମାନ ଅଷ୍ଟମ ଶ୍ରେଣୀରେ ପଢୁଥିବା ପିଲାମାନେ ୭ମ ଶ୍ରେଣୀରେ କିଛି ପଢ଼ିନାହାନ୍ତି । ସେହିପରି ଷଷ୍ଠ ଶ୍ରେଣୀର ପାଠ ଉପରେ ସେମାନଙ୍କର କିଛି ଧାରଣା ରହିଥାଇପାରେ । ଏହାକୁ ଦୃଷ୍ଟିରେ ରଖ୍ ସବୁ ପିଲାଙ୍କ ଶିକ୍ଷଣ ସ୍ତରର ଏକ ଆକଳନ କରାଯିବ । ୨୭ ତାରିଖରେ ଓଡ଼ିଆ, ୨୮ ତାରିଖରେ ଗଣିତ ଓ ୨୯ ତାରିଖରେ ଇଂରାଜୀ ବିଷୟରେ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଏହି ଆକଳନରେ ଅଂଶଗ୍ରହଣ କରିବେ । ଏହାର ସମୟ ସୀମା ମାତ୍ର ୧ ଘଣ୍ଟା ରହିବ । ପ୍ରଶ୍ନପତ୍ର ଓସେପା ଓ ଏସ୍.ସି.ଇ.ଆର.ଟି ତରଫରୁ ଯୋଗାଇ ଦିଆଯିବ । ଯେଉଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସୁନଥିବେ ପ୍ରଧାନଶିକ୍ଷକ / ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଘରକୁ ପ୍ରଶ୍ନପତ୍ର ପଠାଇ ଏହି ଆକଳନ କରାଇବେ । ପ୍ରତ୍ୟେକ ଛାତ୍ରର ଫଳାଫଳ ଲିପିବଦ୍ଧ କରାଯିବ । ପରେ ଏହାର ବିଶ୍ଳେଷଣ ଓ ପରବର୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ । ଆକଳନ ସରିବା ପରେ ପ୍ରତି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିକାରାତ୍ମକ ଶିକ୍ଷା (Remedia Teaching) ପ୍ରଧାନଶିକ୍ଷକଙ୍କ ଦ୍ଵାରା କରାଯିବା । ଅଷ୍ଟମ ଶ୍ରେଣୀ ପାଇଁ ଉତ୍ଥାନ ପୁସ୍ତିକା ଓଡ଼ିଆ, ଗଣିତ ଓ ଇଂରାଜୀରେ ଦିଆଯାଇଛି ।