ଓଡିଶା

odisha

ETV Bharat / city

ମାର୍ଗଦର୍ଶିକା ଜାରି କଲେ ନିର୍ବାଚନ ଅୟୋଗ: ସରକାରୀ ଯୋଜନା ପ୍ରଜ୍ଞାପନ ମେଢ଼କୁ ବାରଣ, ଭାଷଣରେ ରହିବନି ସଫଳତାର ଚିତ୍ର - ରାଜ୍ୟ ନିର୍ବାଚନ କମିସନ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଭିତରେ ପାଳନ ହେବାକୁ ଯାଉଛି ସାଧାରଣତନ୍ତ୍ର ଦିବସ । ଏ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଛି ମାର୍ଗଦର୍ଶିକା । ଅଧିକ ପଢନ୍ତୁ

ସରକାରୀ ଯୋଜନା ପ୍ରଜ୍ଞାପନ ମେଢ଼କୁ ବାରଣ, ଭାଷଣରେ ରହିବନି ସଫଳତାର ଚିତ୍ର
ସରକାରୀ ଯୋଜନା ପ୍ରଜ୍ଞାପନ ମେଢ଼କୁ ବାରଣ, ଭାଷଣରେ ରହିବନି ସଫଳତାର ଚିତ୍ର

By

Published : Jan 18, 2022, 9:22 PM IST

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଭିତରେ ପାଳନ ହେବାକୁ ଯାଉଛି ସାଧାରଣତନ୍ତ୍ର ଦିବସ । ଏ ନେଇ ରାଜ୍ୟ ନିର୍ବାଚନ ଅୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଛି ମାର୍ଗଦର୍ଶିକା । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାରୁ ଏହା ମଧ୍ୟରେ ସାଧାରଣତନ୍ତ୍ର କିପରି ଭାବେ ପାଳନ କରାଯିବ ସେଥି ନେଇ ମାର୍ଗଦର୍ଶିକା ଜାରି କରାଯାଇଛି । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ସମସ୍ତ କ୍ୟାବିନେଟ୍‌ ଓ ରାଷ୍ଟ୍ରପାହ୍ୟା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସମସ୍ତ ଆର୍‌ଡ଼ିସି ଏବଂ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି ।

ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ କ୍ୟାବିନେଟ୍‌ ପାହ୍ୟା, ରାଷ୍ଟ୍ରପାହ୍ୟା ମନ୍ତ୍ରୀ ସାଧାରଣତନ୍ତ୍ର ଦିବସରେ ଅତିଥି ଭାବେ ଯୋଗଦେଉଥିବାବେଳେ ତାଙ୍କ ଭାଷଣ କେବଳ ରାଷ୍ଟ୍ର, ସ୍ୱାଧୀନତା ସଂଗ୍ରାମୀ, ଶହୀଦ ଏବଂ ରାଷ୍ଟ୍ରର ଜୟଗାନ ମଧ୍ୟରେ ସୀମିତ ରହିବ । ଏଥିରେ କୌଣସି ପ୍ରକାର ସରକାରୀ ସଫଳତାର କାହାଣୀ କିମ୍ବା ଯୋଜନାର ସଫଳତା ସଂପର୍କରେ ଉଲ୍ଲେଖ ରହିବ ନାହିଁ । ଏଥି ସହିତ କ୍ୟାବିନେଟ୍‌ ତଥା ରାଷ୍ଟ୍ରପାହ୍ୟା ମନ୍ତ୍ରୀ କିମ୍ବା ରାଜନୈତିକ କର୍ମକର୍ତ୍ତା ନିଜର ଜିଲ୍ଲାରେ ଅତିଥି ଭାବେ ଯୋଗଦେଇ ପାରିବେ ନାହିଁ ।

ଚଳିତ ସାଧାରଣତନ୍ତ୍ର ଦିବସରେ ସରକାର କିମ୍ବା ବିଭିନ୍ନ ବିଭାଗ ଦ୍ୱାରା ସରକାରୀ ଯୋଜନା ଓ ସଫଳତାର ଚିତ୍ର ବହନ କରୁଥିବା ପ୍ରଜ୍ଞାପନ ମେଢ଼କୁ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ନିଷିଦ୍ଧ ଘୋଷଣା କରାଯାଇଛି । ଏଥି ସହିତ ସାଧାରଣତନ୍ତ୍ର ଦିବସ ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଗଣ, ରାଜନୈତିକ କର୍ମକର୍ତ୍ତା କୌଣସି ପ୍ରକାର ସରକାରୀ ସଫଳତା ସଂପର୍କିତ ଭାଷଣ ଦେଇପାରିବେ ନାହିଁ । ତେବେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ପାଳନ ଯଥାରୀତି ଅନୁଷ୍ଠିତ ହୋଇପାରିବ ବୋଲି ରାଜ୍ୟ ନର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ମାଧ୍ୟମରେ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details