ଭୁବନେଶ୍ବର:ରାଜଧାନୀରେ ଗଣେଶ ଭସାଣି ବେଳେ ଅଘଟଣ । ଦୁଇ ଗୋଷ୍ଠୀ ଭିତରେ ଗଣ୍ଡଗୋଳ ନେଲା ଉଗ୍ରରୂପ । ଗୋଟିଏ ଗୋଷ୍ଠୀର ଭସାଣି ବେଳେ ଆଉ ଗୋଷ୍ଠୀ କଲେ ହଙ୍ଗାମା । ପରିସ୍ଥିତି ଅଣାୟତ୍ତ ହେବା ପରେ କାଠ ଫାଳିଆ ଓ ଥଣ୍ଡା ବୋତଲରେ ହେଲା ଆକ୍ରମଣ । ଏୟାରପୋର୍ଟ ଥାନା ଭୀମପୁର ମୌଜାରେ ଏହି ଗୋଷ୍ଠୀ ସଙ୍ଘର୍ଷ ଦେଖିବାକୁ ମିଳିଛି ।
ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅପର ଗୋଷ୍ଠୀର ଜଣେ ଯୁବକଙ୍କ ମୁଣ୍ଡ ଫାଟିଛି । ଗୁରୁତର ଅବସ୍ଥାରେ ରିତେଶ ବିଶ୍ବାଳ ନାମକ ଯୁବକ ଗୁରୁବାର ରାତିରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏନେଇ ପୋଲିସ ନିକଟରେ ଅଭିଯୋଗ ପହଞ୍ଚିବା ପରେ ଦୁଇ ଗୋଷ୍ଠୀଙ୍କୁ ଆଣି ଥାନାରେ ପଚରାଉଚରା କରାଯାଇଥିଲା । ଭସାଣି ପାଇଁ ପୋଲିସ ଅନୁମତି ଦେଉଥିବାବେଳେ, ଭସାଣି ବେଳେ ପୋଲିସର ସଠିକ ନଜର ରହୁନଥିବା ଅଭିଯୋଗ ହୋଇଛି । ଫଳରେ ଏଭଳି ପରିସ୍ଥିତି ଉପୁଜିଛି ଓ ଏଭଳି ଘଟଣା ସାମ୍ନାକୁ ଆସୁଛି ବୋଲି ଅଭିଯୋଗ ହୋଇଛି ।
ପୋଲିସ ଅଣ ଆଢୁଆଳରେ ରାସ୍ତାରେ ଉତ୍ପାତ ଓ ମଦ ପିଇ ସାଧାରଣ ଲୋକଙ୍କୁ ହଇରାଣ ମଧ୍ୟ କରୁଛନ୍ତି । ଫଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେଲେ ଏଭଳି ସ୍ଥିତି ଉପୁଜିଛି । ଅର୍ଥାତ ପୋଲିସଠୁ ଅନୁମତି ନେଇ ବି ଭସାଣିରେ କିଭଳି ଏଭଳି ସଙ୍ଘର୍ଷ ହେଉଛି । ଯଦି ଅନୁମତି ନଥିଲା ତେବେ କ'ଣ ଥାନାର ବିନା ଅଗୋଚରରେ ଭସାଣି ହେଉଛି କି ? ଯାହା ଏବେ ପୋଲିସ ପାଖରେ ଖବର ନଥିବାର ଦିଗ ମଧ୍ୟ ସାମ୍ନାକୁ ଆସୁଛି । କେବଳ ଏ ଘଟଣା ନୁହେଁ କିଛି ଦିନ ପୁର୍ବେ ପାହାଳ ଥାନା ଅଧିନରେ ମଧ୍ୟ ନହରକଣ୍ଟା ନିକଟରେ ଗଣେଶ ଭସାଣି ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।