ଭୁବନେଶ୍ବର:ବିବାହ ଉତ୍ସବରେ ସାଧାରଣତଃ ବର ଫୁଲରେ ସଜ୍ଜିତ ହୋଇଥିବା କାରରେ ବସି ବିବାହ ମଣ୍ଡପରେ ପହଞ୍ଚେ । ବର କନ୍ୟାଘର କି ବିବାହ ମଣ୍ଡପକୁ ଯିବା ପାଇଁ ପ୍ରଥମେ ୪ ଚକିଆ ଗାଡ଼ିର ଖୋଜା ପଡ଼େ । ହେଲେ ଏଠାରେ ଗାଡ଼ି ପରିବର୍ତ୍ତେ ସାଇକେଲରେ ବିବାହ ପାଇଁ ପହଞ୍ଚିଥିଲେ ବର । ଆଉ ବର ସହିତ ବରଯାତ୍ରୀ ଚାଲି ଚାଲି ମଣ୍ଡପରେ ପହଞ୍ଚିଛନ୍ତି । ରାଜଧାନୀ ଭୁବନେଶ୍ବର ୟୁନିଟ ୩ ଅଞ୍ଚଳରେ ଏପରି ଏକ ନିଆରା ବିବାହ ଦେଖିବାକୁ ମିଳିଛି ।
ରାଜଧାନୀବାସୀ ଶୁଭ୍ରାଂଶୁ ସାମଲ ଓ ସିପ୍ରାଙ୍କ ୟୁନିଟ-୩ ଅଞ୍ଚଳରେ ବିବାହ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ବର-ପୁରୀ ରାସ୍ତା ରବି ଟକିଜ ନିକଟରେ ଥିବା ଏକ ବିବାହ ମଣ୍ଡପରେ ଉଭୟଙ୍କ ବିବାହ ହୋଇଥିଲା । ଏହି ଅବସରରେ ଶୁଭ୍ରାଂଶୁ କିନ୍ତୁ କିଛି ନିଆରା କରିବାକୁ ସ୍ଥିର କରିଥିଲେ । ୪ ଚକିଆ ଯାନରେ ନ ବସି ବରଂ ସାଇକଲେ ଚଳାଇ ବିବାହ ମଣ୍ଡପ ପର୍ଯ୍ୟନ୍ତ ଯାତ୍ରା କରିବେ ବୋଲି ସେ ପରିବାରକୁ କହିଥିଲେ ଏବଂ ପରିବାର ମଧ୍ୟ ତାଙ୍କ ଅନୁରୋଧରେ ରାଜି ହୋଇଥିଲେ ।