ଭୁବନେଶ୍ବର:ସବୁଜ ବାଣ ବିକ୍ରି ଓ ବ୍ୟବହାର ପାଇଁ ସୁପ୍ରିମକୋର୍ଟ ଏବଂ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍ କମିଶନର ଗାଇଡଲାଇନ ଜାରି କରିଛନ୍ତି । ଗାଇଡଲାଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜିଲ୍ଲାପାଳ ଏବଂ ଏସପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
ଲୋକସେବା ଭବନରୁ ଆଜି(ମଙ୍ଗଳବାର) ଭିଡିଓ କନ୍ଫେରେନ୍ସିଂ ଜରିଆରେ ଦୀପାବଳୀ ପ୍ରସ୍ତୁତି ବାବଦରେ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ମହାମାରୀ ସମୟରେ ଜନସାଧାରଣଙ୍କ ସ୍ବାସ୍ଥ୍ୟ ଏବଂ କୋଭିଡ୍ରୁ ସୁସ୍ଥ ହେଉଥିବା ଲୋକମାନଙ୍କର କୋଭିଡ଼ ପରବର୍ତ୍ତୀ ଯତ୍ନ ଅଧିକ ଗୁରୁତ୍ଵପୂର୍ଣ୍ଣ । ସାଧାରଣ ସ୍ବାସ୍ଥ୍ୟ ଏବଂ ଉତ୍ସବ ପାଳନ ମଧ୍ୟରେ ସମନ୍ବୟ ରହିବା ଆବଶ୍ୟକ । କେବଳ ପେଟ୍ରୋଲିୟମ୍ ବିସ୍ଫୋରକ ନିରାପତ୍ତା ସଂସ୍ଥା (ପେସୋ)ଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ସବୁଜ ବାଣ ବିକ୍ରି ଓ ବ୍ୟବହାର ହୋଇପାରିବ କହିଛନ୍ତି ମୁଖ୍ୟ ଶାସନ ସଚିବ ।
କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କଠାରୁ ଲାଇସେନ୍ସ ନନେଇ କୌଣସି ଦୋକାନୀ ବା ବ୍ୟକ୍ତି ସବୁଜବାଣ ମଧ୍ୟ ବିକ୍ରି କରିପାରିବେ ନାହିଁ । କେବଳ ଜିଲ୍ଲାପାଳ ଏବଂ ପୌରାଞ୍ଚଳର ପୋଲିସ୍ କମିଶନର ମାନେ ଲାଇସେନ୍ସ ଦେଇପାରିବେ । କୌଣସି ବ୍ୟକ୍ତି ରାସ୍ତା ବା ସର୍ବସାଧାରଣ ସ୍ଥାନରେ ବାଣ ଫୁଟାଇ ପାରିବେ ନାହିଁ । କେବଳ ସବୁଜ ବାଣକୁ ଦୀପାବଳୀ ଦିନ ସଂଧ୍ୟା ୮.୦୦ରୁ ୧୦.୦୦ ମଧ୍ୟରେ ନିଜ ଘରର ପାଚେରୀ ସୀମା ମଧ୍ୟରେ ଫୁଟାଇ ପାରିବେ । ସର୍ବୋଚ୍ଚ ନ୍ୟାୟାଳୟ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିଷୟରେ ସୂଚନା ଦେଇ ଉନ୍ନୟନ କମିଶନର ଏବଂ ସ୍ବତନ୍ତ୍ର ରିଲିଫ୍ କମିଶନ ପ୍ରଦୀପ କୁମାର ଜେନା କହିଛନ୍ତି, "କେବଳ ମାତ୍ର ସବୁଜ କୋର୍ଡ ବା ମାର୍କ ଦେଖାଇ କୌଣସି ବାଣ ବିକ୍ରି ବା ବ୍ୟବହାର କରାଯାଇ ପାରିବ ନାହିଁ । ବାଣ ବ୍ୟବସାୟୀମାନଙ୍କ ଦ୍ବାରା ଦେଖାଯାଇଥିବା ସାର୍ଟିଫିକେଟ୍ର ପେସୋ ସାର୍ଟିଫିକେଟ୍ କି ନୁହେଁ ତାହା ପରୀକ୍ଷା କରାଯିବା ଆବଶ୍ୟକ ।