ଭୁବନେଶ୍ବର:ମହାମାରୀର କରାଳ ପରିସ୍ଥିତିରେ ମହାନତା ଦେଖାଇଛନ୍ତି ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ଯୁବକ । ବାଣ୍ଟୁଛନ୍ତି ମାଗଣା ଖାଦ୍ୟ । କୋରୋନା ସଂକ୍ରମିତ ପରିବାରକୁ ମାଗଣା ଖାଦ୍ୟ ଯୋଗାଣ ବ୍ୟବସ୍ଥା ପାଇଁ ଆଗକୁ ଆସିଛନ୍ତି ସେ ।
ରାଜ୍ୟରେ ବର୍ତ୍ତମାନ ତାଣ୍ଡବ ରଚୁଛି ମହାମାରୀ କୋରୋନା । କୌଣସି ପରିବାର କୋରୋନାରେ ଆକ୍ରାନ୍ତ ହେଲେ ନା ସେମାନେ ବାହାରକୁ ଆସି ପାରୁଛନ୍ତି ନା ଅନ୍ୟ କେହି ସେମାନଙ୍କ ଘରକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ଆକ୍ରାନ୍ତଙ୍କ ପରିବାରକୁ ଖାଦ୍ୟ ଯୋଗାଇବା ପାଇଁ ଅଣ୍ଟା ଭିଡିଛନ୍ତି ‘Buzzy Flavours’ ରେଷ୍ଟୁରାଣ୍ଟ ଆଉ ‘‘ଭଏସ ଅଫ ଭିକ୍ଟିମ’’ ନାମକ ଏନଜିଓ ସଂସ୍ଥା । ଏନେଇ ଏକ ହ୍ଵାଟ୍ସଆପ ନମ୍ବର ମାଧ୍ୟମରେ ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରେ କେହି କୋରୋନା ଆକ୍ରାନ୍ତ ପରିବାର ଯୋଗାଯୋଗ କଲେ ସେମାନଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି ଖାଦ୍ୟ ପୁଡିଆ ।
ତେବେ ବର୍ତ୍ତମାନ କୋରୋନାର ଦ୍ଵିତୀୟ ଲହର ପ୍ରଭାବରେ ବହୁ ସଂଖ୍ୟାରେ ସଂକମିତ ବଢୁଛନ୍ତି । କେତେକ ଆକ୍ରାନ୍ତ ମେଡିକାଲ ନଯାଇ ହୋମ ଆଇସୋଲେସନରେ ମଧ୍ୟ ରହୁଛନ୍ତି । ସେମାନଙ୍କ ପାଖରେ ଖାଦ୍ୟ ପହଁଞ୍ଚାଇବା ଲକ୍ଷ୍ୟରେ ଏହି ଉଦ୍ୟମ ଆରମ୍ଭ ହୋଇଥିବା ‘Buzzy Flavours’ ଏବଂ ‘ଭଏସ ଅଫ ଭିକ୍ଟିମ’ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଖାଦ୍ୟ ଅର୍ଡର ପାଇଁ ଏକ ହ୍ଵାଟ୍ସଆପ ନମ୍ବର 8328985517 ମଧ୍ୟ ଜାରି କରାଯାଇଛି ।