ଭୁବନେଶ୍ବର: ସ୍ମାର୍ଟସିଟିରେ ସରକାରୀ ଯୋଜନା ବାଟବଣା । ସରକାର ଯୋଜନା ପରେ ଯୋଜନା ଘୋଷଣା କରିଛନ୍ତି ସତ ହେଲେ ତାର କାର୍ଯ୍ୟନୟନ ନେଇ ସାଧାରଣରେ ଉଠିଛି ଅନେକ ପ୍ରଶ୍ନ । ଏଭଳି ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଭୁବନେଶ୍ବର ମହାନଗର ନିଗମରେ । ସ୍ବଚ୍ଛତାକୁ ପ୍ରାଧାନ୍ୟ ଦେଇ ସ୍କୁଲ କଲେଜରେ ପଡୁଥିବା ଛାତ୍ରୀଙ୍କ କିଶୋରୀ ସ୍ବାସ୍ଥ୍ୟ ପାଇଁ ସରକାର ଆରମ୍ଭ କରିଥିଲେ' ଖୁସି ' ଯୋଜନା । ରାଜ୍ୟର ମୁଖ୍ୟମନ୍ତ୍ରୀ ଖୋଦ ଏହି ଯୋଜନାର ଶୁଭାରମ୍ଭ ମଧ୍ୟ କରିଥିଲେ । ଛାତ୍ରୀଙ୍କୁ ସାନିଟାରୀ ନାପକିନ ଯୋଗାଇ ଦେବାକୁ ବ୍ୟବସ୍ତା କରିଥିଲେ । ହେଲେ ସରକାରୀ କଳର କିଛି ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏଯୋଜନା ସମ୍ପୂର୍ଣ ଫେଲ ମାରିଛି ।
ରାଜ୍ୟରେ ଯେତେ ମହାନଗର ନିଗମ ରହିଛି, ଭୁବନେଶ୍ବର ମହାନଗର ନିଗମର ସ୍ଥାନ ସ୍ବତନ୍ତ୍ର, କାରଣ ରାଜ୍ୟର ରାଜଧାନୀ ହୋଇଥିବାରୁ ପ୍ରାୟ ସରକାରୀ ଯୋଜନା ପ୍ରଥମେ ଏହିଠାରୁ ହିଁ ପାଇଲଟ ଆଧାରରେ ଆରମ୍ଭ ହୋଇଥାଏ । କିନ୍ତୁ ବିଡମ୍ବନାର କଥା ହେଲା ଏଠି ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ସମ୍ପୂର୍ଣ୍ଣ ବିଫଳ ହେଉଛି କାରଣ ଉଚ୍ଚ କର୍ତ୍ତୃପକ୍ଷଙ୍କ ବେଖାତିର ମନୋଭାବ ପରିଲକ୍ଷିତ ହେଉଛି । ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଙ୍କୁ ବର୍ଷକୁ ୧୮ ଟି ଲେଖାଏଁ ନାପକିନ ଦେବାର ବ୍ୟବସ୍ଥା ହୋଇଥିଲା । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ସରକାର ନାପକିନ କିଣି ୩୧୪ଟି ବ୍ଲକ ଓ ୫ ଟି ମହାନଗର ନିଗମରେ ବଣ୍ଟନ କଲେ । ସବୁଆଡେ ସାନିଟାରୀ ନାପକିନ ପାଇଲେ ହେଲେ ସ୍ମାର୍ଟସିଟିରେ ବଣ୍ଟା ହୋଇପାରି ନଥିବାରୁ ଏହି ଯୋଜନାର ଲାଭ ପାଇପାଇବାରୁ ବଞ୍ଚିତ ହୋଇଛନ୍ତି ରାଜଧାନୀ ସ୍କୁଲ ଓ କଲେଜର ଛାତ୍ରୀ ।