ଓଡିଶା

odisha

ETV Bharat / city

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ପଛୁଆ ବର୍ଗଙ୍କୁ ସର୍ବାଧିକ 27% ପର୍ଯ୍ୟନ୍ତ ସଂରକ୍ଷଣ - ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । କୋଭିଡ ତୃତୀୟ ଲହର ନ ଆସିଲେ ଫେବୃୟାରୀରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସଂରକ୍ଷଣକୁ ସଙ୍କୁଚିତ କରାନଯାଇ ଲାଗୁ ହୋଇଛି ସଂଶୋଧିତ ସଂରକ୍ଷଣ ବ୍ୟବସ୍ଥା । ଯାହା ପଞ୍ଚାୟତ ନିର୍ବାଚନ ପାଇଁ ବାଟ ସଫା କରିଛି । ଅଧିକ ପଢନ୍ତୁ...

ବାଜିଲା ପଞ୍ଚାୟତ ନିର୍ବାଚନର ବିଗୁଲ, ଲାଗୁ ହେଲା ସଂଶୋଧିତ ସଂରକ୍ଷଣ ନିୟମ
ବାଜିଲା ପଞ୍ଚାୟତ ନିର୍ବାଚନର ବିଗୁଲ, ଲାଗୁ ହେଲା ସଂଶୋଧିତ ସଂରକ୍ଷଣ ନିୟମ

By

Published : Oct 2, 2021, 1:15 PM IST

Updated : Oct 2, 2021, 4:24 PM IST

ଭୁବନେଶ୍ବର:ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ପଞ୍ଚାୟତିରାଜ ନିର୍ବାଚନ ସମୟରେ ପଛୁଆ ବର୍ଗଙ୍କୁ ସର୍ବାଧିକ 27% ପର୍ଯ୍ୟନ୍ତ ସଂରକ୍ଷଣ ଦେବା ନିମନ୍ତେ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସଂରକ୍ଷଣକୁ ସଙ୍କୁଚିତ କରାନଯାଇ ପଛୁଆ ବର୍ଗଙ୍କୁ ସଂରକ୍ଷଣ ସୁବିଧା ଦେବା ଏବଂ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ 50% ସଂରକ୍ଷଣ ସିଲିଂକୁ ଅତିକ୍ରମ ନ କରିବା ପାଇଁ ରାଜ୍ୟ ସରକାରଙ୍କ ସଂରକ୍ଷଣ ସଂଶୋଧନ ବ୍ୟବସ୍ଥା ରାଜ୍ୟରେ ଲାଗୁ ହୋଇଛି । ଫଳରେ ପଞ୍ଚାୟତ ନିର୍ବାଚନ ନିମନ୍ତେ ପଥ ପରିଷ୍କାର ହୋଇଛି ।

ବାଜିଲା ପଞ୍ଚାୟତ ନିର୍ବାଚନର ବିଗୁଲ, ଲାଗୁ ହେଲା ସଂଶୋଧିତ ସଂରକ୍ଷଣ ନିୟମ

ଯଦି କୋଭିଡ୍ ତୃତୀୟ ଲହର ନ ଆସେ, ତେବେ ଫେବୃଆରୀ ମାସରେ ରାଜ୍ୟରେ ହୋଇପାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଓଡ଼ିଶା ବିଧାନସଭାରେ ଓଡ଼ିଶା ପଞ୍ଚାୟତ ଆଇନ (ସଂଶୋଧନ) ନିୟମ 2021 ଗୃହୀତ ହେବା ସହ ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରି ଆଇନରେ ପରିଣତ ହୋଇସାରିଛି । ଏନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ମଧ୍ୟ ପାଇଛି । ନୂତନ ସଂରକ୍ଷଣ ନିୟମ ଶୁକ୍ରବାର ଠାରୁ ଲାଗୁ ହୋଇଛି । ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖିଛନ୍ତି ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ।

ସଂଶୋଧିତ ଆଇନ ଅନୁଯାୟୀ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପ୍ରସ୍ତୁତି ଆରମ୍ଭ କରିସାରିଛି । ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ନିଜ ଜିଲ୍ଲାର ଜନସଂଖ୍ୟା, ବିଭିନ୍ନ ବର୍ଗର ଉପସ୍ଥିତି ନୂତନ ଭାବେ ସଂଶୋଧିତ ଆଇନକୁ ଦୃଷ୍ଟିରେ ରଖି ଆସନଗୁଡିକ ସଂରକ୍ଷଣ ବ୍ୟବସ୍ଥା କରିବେ । ପୂର୍ବରୁ ପ୍ରଚଳିତ ବିଭିନ୍ନ ବର୍ଗ (ଏସଟି, ଏସସି)ଙ୍କୁ ମିଳିଥିବା ସଂରକ୍ଷଣକୁ ପ୍ରଭାବିତ ନ କରି ପଛୁଆବର୍ଗଙ୍କୁ ସର୍ବାଧିକ ପର୍ଯ୍ୟନ୍ତ 27% ସଂରକ୍ଷଣ ଦିଆଯିବ । ଏଥିସହିତ ସୁପ୍ରିମକୋର୍ଟଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା 50 % ସୀମା ନିୟମ ବଳବତ୍ତର ରହିବ । ଚଳିତ ମାସ ପଞ୍ଚାୟତସ୍ତରରେ ୱାର୍ଡ, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ(ନୋମିନି) ଆସନଗୁଡିକର ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହେବ । ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହା କରାଯିବ ।

ସେହିପରି ଜିଲ୍ଲା ପରିଷଦ ଆସନଗୁଡିକର ସଂରକ୍ଷଣ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ କରାଯାଉଛି । ଆସନର ସଂରକ୍ଷଣ ଯେକୌଣସି ପରିସ୍ଥିତିରେ 50% ଟପିବ ନାହିଁ । ସେହିପରି ଅନୁସୂଚିତ ଜାତି(ଏସସି), ଅନୁସୂଚିତ ଜନଜାତି (ଏସଟି) ବର୍ଗ ପାଇଁ ପୂର୍ବରୁ ଥିବା ସଂରକ୍ଷଣ ବଳବତ୍ତର ରହିବ । ନିର୍ଦ୍ଦିଷ୍ଟ ଜିଲ୍ଲାର ଜନସଂଖ୍ୟା, ବିଭିନ୍ନ ବର୍ଗର ସାଂଖ୍ୟକ ଉପସ୍ଥିତି ଆଧାରରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ । ୱାର୍ଡ ମେମ୍ବର, ନୋମିନି, ସରପଞ୍ଚ ଏବଂ ଜିଲ୍ଲା ପରିଷଦ ସଦସ୍ୟଗୁଡିକ ପଦ ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ ଯଥେଷ୍ଟ ସମୟ ନିର୍ବାଚନ ଥାଇ ସଂରକ୍ଷଣ ତାଲିକା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ନିକଟରେ ବିଧାନସଭାରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଅଧିନିୟମ-1964, ଓଡ଼ିଶା ପଞ୍ଚାୟତ ସମିତି ଅଧିନିୟମ-1959 ଏବଂ ଓଡ଼ିଶା ଜିଲ୍ଲା ପରିଷଦ ଅଧିନିୟମ-1991 ସଂଶୋଧ ହୋଇସାରିଛି । ଏହାପରେ ଜିଲ୍ଲାୱାରୀ କାର୍ଯ୍ୟକାରିତା ନେଇ ଖସଡ଼ା ପ୍ରସ୍ତୁତ କରାଯିବ ।

ପଞ୍ଚାୟତ ସ୍ତରୀୟ ସଂରକ୍ଷଣ ପ୍ରସ୍ତୁତି ସମୟରେ ପଞ୍ଚାୟତ ଏକ୍ସଟେନସନ୍ ସିଡ୍ୟୁଲ୍ଡ ଆକ୍ଟ (ପେସା)-1996ର ସହାୟତା ନିଆଯିବ । ସେହିପରି ପୌରାଞ୍ଚଳ କ୍ଷେତ୍ରରେ ଅଧିନିୟମ 243 (ଜେଡ୍ (ସି)) ସହାୟତା ନିଆଯିବ । ଏହାଦ୍ବାରା ରାଜ୍ୟ ସରକାରଙ୍କ ଦ୍ବାରା ଗୃହୀତ କରାଯାଇଥିବା ସଂଶୋଧିତ ନିୟମ ଆଧାରରେ ସଂରକ୍ଷଣ ପ୍ରକ୍ରିୟା ସମ୍ପାଦନରେ ସହାୟତା କରିବ । ପୂର୍ବରୁ ରାଜ୍ୟର ଅନୁସୂଚିତ ଜାତି ( ଏସସି), ଅନୁସୂଚିତ ଜନଜାତି(ଏସଟି)ମାନଙ୍କୁ ପ୍ରଦାନ କରାଯାଇଥିବା ସଂରକ୍ଷଣ ତିଳେମାତ୍ର ପ୍ରଭାବିତ ହେବ ନାହିଁ । ସେହିପରି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ, ମୋଟ ଆସନର ସଂରକ୍ଷଣ 50% ଟପିବ ନାହିଁ । ଜିଲ୍ଲାୱାରୀ ପଛୁଆବର୍ଗଙ୍କ ସଂଖ୍ୟା ଆଧାରରେ ସେମାନଙ୍କ ପାଇଁ ସର୍ବାଧିକ 27% ଯାଏ ସ୍ଥାନ ସଂରକ୍ଷଣ ସୁନିଶ୍ଚିତ କରାଯିବ । ଏସଟିଙ୍କ ପାଇଁ ରହିଥିବା 22.50 % ଏବଂ ଏସସିଙ୍କ ପାଇଁ ଥିବା 16.25% ସଂରକ୍ଷଣ କୌଣସି ମତେ ପ୍ରଭାବିତ ହେବ ନାହିଁ । ଅପରପକ୍ଷରେ ଓଡ଼ିଶାର କେତେକ ଜିଲ୍ଲାରେ ଏସସି,ଏସଟିଙ୍କ ସଂଖ୍ୟା କମ୍ ରହୁଥିଲେ ହେଁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ହାର ଅଧିକ ରହୁଛି । ସଂଶୋଧ ଆଇନ ଅନୁସାରେ ଏଣିକି ଏସଟି, ଏସସିଙ୍କ ପାଇଁ ଥିବା ସଂରକ୍ଷଣର ସିଲିଂ ଜିଲ୍ଲାରେ ଥିବା ସେହି ବର୍ଗର ଜନସଂଖ୍ୟା ହିସାବରେ ପୂରଣ କରାଯିବ । ପୂର୍ବରୁ 11.25% ପ୍ରତିଶତ ସହ ଏସଟି, ଏସସି ବର୍ଗର ବଳକା ସଂରକ୍ଷିତ ସ୍ଥାନରୁ ଓବିସି ବର୍ଗକୁ ପ୍ରଦାନ କରାଯିବ। ହେଲେ ଏହି ସଂରକ୍ଷଣ ହାର 27 ପ୍ରତିଶତକୁ ଟପିବ ନାହିଁ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Oct 2, 2021, 4:24 PM IST

ABOUT THE AUTHOR

...view details