ଭୁବନେଶ୍ବର: ହଟୁଛି କଟକଣା । ସ୍ବାଭାବିକ ହେଉଛି ସାଧାରଣ ଜୀବନଯାପନ । ଚଳଚଞ୍ଚଳ ହେଉଛି ବଜାର । ଲକଡାଉନ ପରେ ଏବେ ଅନଲକ ୧ ଚାଲିଛି । ହେଲେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟ ଓ ଦେଶରେ ବଢିବାରେ ଲାଗିଛି । କୋରୋନା ମହାମାରୀ ଭୟବହତାକୁ ସମସ୍ତେ ଅଙ୍ଗେ ନିଭେଇବା ପରେ କୋରୋନା ସହିତ ମିଶି ବଞ୍ଚିବାକୁ ପଡିବ ଏକଥା ବୁଝିଲେଣି । ସରକାରୀ ସ୍ତରରେ ମଧ୍ୟ ଧିରେ ଧିରେ କଟକଣା ହଟାଇଲାଣି । ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିଲାଣି ଜିଲ୍ଲା ଓ ରାଜ୍ୟ ସ୍ତରୀୟ କାର୍ଯ୍ୟାଳୟ । ମାସ୍କ,ସାନିଟାଇଜର୍ ଓ ସହ ସାମାଜିକ ଦୂରତା କୁ ସୁରକ୍ଷାର ମନ୍ତ୍ରର ଧରିନେଲେଣି । ସଚେତନତା ଓ ସଞ୍ଜମତା ଜରିଆରେ ହିଁ କୋରୋନା ସହିତ ସାଲିସ ବିହିନ ଲଢେଇ କରିବା ସହ ଦୈନଦିନ ଅଫିସ କାର୍ଯ୍ୟ ଆଗେଇବା ପାଇଁ ଆରମ୍ଭ ହୋଇସାରିଛି ପ୍ରକ୍ରିୟା ।
ରାଜ୍ୟର ସମସ୍ତ ସରକାରୀ ଅଫିସ ଗୁଡିକରେ କୋରନା କୁ ନେଇ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ଗାଇଡଲାଇନ୍ କୁ କଡାକଡି ପାଳନ କରାଯାଉଥିବା ଦେଖିବାକୁ ମିଳିଛି । ସମସ୍ତ ସରକାରୀ ବିଭାଗ ଓ ଏହାର ଅଧସ୍ଥନ ଅଫିସ୍’ର କର୍ମଚାରୀ ଅଫିସ୍ ଆସିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଲୋକସେବା ଭବନର ସମସ୍ତ କର୍ମଚାରୀ ଏବେ ନିୟମିତ କାର୍ଯ୍ୟାଳୟ ଆସୁଛନ୍ତି ଏବଂ ସାମାଜିକ ଦୂରତା ଅବଲମ୍ବନ କରି କାର୍ଯ୍ୟ କରୁଛନ୍ତି।ଏହାସହ ଯେଉଁ କର୍ମଚାରୀଙ୍କର ସର୍ଦ୍ଦି, ଜ୍ୱର ବା କାଶ ହେଉଥିବ ସେମାନେ ଅଫିସ୍ ଆସିବେ ନାହିଁ । ସେହିପରି କଣ୍ଟେନ୍ମେଣ୍ଟ ଜୋନ୍ ବା ନିଷିଦ୍ଧାଞ୍ଚଳରେ ରହୁଥିବା ସରକାରୀ କର୍ମଚାରୀ ଅଫିସ୍ ଆସିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି । କିନ୍ତୁ ଉପରିସ୍ଥ ଅଧିକାରୀଙ୍କୁ ଛୁଟି ଦରଖାସ୍ତ ଦେବାକୁ ହେବ । ସମସ୍ତ ଅଫିସ୍ କର୍ତ୍ତୃପକ୍ଷ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରିବେ ।