ଭୁବନେଶ୍ବର: ରାଜ୍ୟରେ କୃଷକ ଉନ୍ନୟନ ପାଣ୍ଠି ନାଁରେ ପୁଣି ଅସହାୟ ଚାଷୀଙ୍କୁ ଟଙ୍କା ବାଣ୍ଟିବେ ରାଜ୍ୟ ସରକାର । ଅସହାୟ ଚାଷୀଙ୍କୁ ୨୦ହଜାର ଟଙ୍କା ସହାୟତା ରାଶି ସ୍ଥାନୀୟ ସରପଞ୍ଚ ମାଧ୍ୟମରେ ବାଣ୍ଟିବେ ରାଜ୍ୟ ସରକାର । ଏନେଇ କୋ-ଅପେରଟିଭ ସୋସାଇଟି ରେଜିଷ୍ଟରଙ୍କୁ ଚିଠି ଲେଖିଛି ସମବାୟ ବିଭାଗ । ଗତ ବଜେଟରେ ରାଜ୍ୟରେ କୃଷକ ଉନ୍ନୟନ ପାଣ୍ଠି ପାଇଁ ୨୫୦ କୋଟି ଟଙ୍କାର ପ୍ରାବଧାନ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଗତବର୍ଷ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ।
ଗତ ନିର୍ବାଚନ ପୂର୍ବରୁ ସରକାର ତରିବରିଆ ଭାବେ କାଳିଆ ଯୋଜନା ମାଧ୍ୟମରେ ଚାଷୀଙ୍କୁ ଟଙ୍କା ବାଣ୍ଟିଥିଲେ । ଏବେ ପୁଣି ବିଜେପୁର ଉପ-ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ୨୦ହଜାର ବାଣ୍ଟିବା ନିଷ୍ପତିକୁ ବିରୋଧୀ ହଜମ କରିବା ସ୍ଥିତିରେ ନାହାନ୍ତି । ଉପନିର୍ବାଚନ ଅବ୍ୟବହିତ ପୂର୍ବରୁ କଣ ଚାଷୀଙ୍କ କଥା ସରକାରଙ୍କ ମନେ ପଡିଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । କାଳିଆ ସହାୟତା ରାଶି ଏପର୍ଯ୍ୟନ୍ତ ସମସ୍ତେ ପାଇଲେ ନାହିଁ । ୨୦ ହଜାର ଟଙ୍କା ପୁଣି ସ୍ଥାନୀୟ ସରପଞ୍ଚଙ୍କ ଜରିଆରେ ବାଣ୍ଟିବା ପ୍ରସ୍ତାବକୁ ରାଜନୀତିର ଗନ୍ଧ ବାରୁଛନ୍ତି ବିରୋଧୀ ।
ରାଜ୍ୟ ସରକାର ଚାଷୀଙ୍କ ପାଇଁ ଯୋଜନା ଉପରେ ଯୋଜନା କରୁଛନ୍ତି ହେଲେ ତାହା ସାଧାରଣ ଚାଷୀଙ୍କ ପାଖରେ ପହଞ୍ଚୁନି । ରାଜ୍ୟ ସରକାର ଏକ ମିଛୁଆ ରାଧୁଆ ସରକାର । ନିର୍ବାଚନ ଆସିଲେ ଲୋକଙ୍କ ସହ ମିଥ୍ୟା ଆଚରଣ କରୁଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ କିସମର ଚାଷୀଙ୍କ ତାଳିକା ଦେଇପାରିଲେ ନାହିଁ । ଖାଲି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି, ଯଦି ସତରେ ଚାଷୀଙ୍କ ପାଇଁ ଏତେ ଦରଦ ଅଛି ତେବେ ରାଜ୍ୟ ସରକାର ତୁରନ୍ତ ଚାଷୀଙ୍କ ସମସ୍ତ ବିବରଣୀ ଦିଅନ୍ତୁ । କାଳିଆ ଯୋଜନାର ଦ୍ବିତୀୟ କିସ୍ତି ଚାଷୀଙ୍କୁ କେବେ ମିଳିବ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।