ଭୁବନେଶ୍ବର:ଦିବ୍ୟାଙ୍ଗ ଓ ଅସୁସ୍ଥ ହେଉଥିବା ସଫେଇ କର୍ମଚାରୀଙ୍କୁ ମିଳିବ କ୍ଷତି ପୂରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କ୍ଷତିପୂରଣ ବ୍ୟବସ୍ଥାକୁ ଅନୁମୋଦନ କରିଛନ୍ତି । ଏହା ଆମ ସମାଜର ସବୁଠାରୁ ସମ୍ବେଦନଶୀଳ ଲୋକଙ୍କୁ ସୁରକ୍ଷା ତଥା ସକ୍ଷମ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଦର୍ଶନ କରୁଛି ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।
ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ; ସଫେଇ କର୍ମଚାରୀ ପାଇବେ କ୍ଷତିପୂରଣ ଭବିଷ୍ୟତରେ ଏହି କଲ୍ୟାଣମୂଳକ ପଦକ୍ଷେପ ପ୍ରଦାନ ଦିଗରେ ପ୍ରତିବଦ୍ଧତା ପ୍ରକ୍ରିୟା ମଧ୍ୟ ଜାରି ରହିବ ବୋଲି ସେ ନିଶ୍ଚିତ କରିଛନ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି । ସଫେଇ କର୍ମଚାରୀଙ୍କ ନିରାପତ୍ତା ଏବଂ ସମ୍ମାନକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ୧୧ ସେପ୍ଟେମ୍ବର ୨୦୨୦ ରେ ‘ଗରିମା’ ଯୋଜନା ଆରମ୍ଭ କରିଥିଲେ ।
ଯେଉଁଥିରେ ପ୍ରାୟ ୨୦୦୦୦ ପରିମଳ କର୍ମଚାରୀ ଉପକୃତ ହୋଇଥିଲେ । ଦେଶରେ ଏହା ପ୍ରଥମ । ସଫେଇ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ସେବା ସୁବିଧା, ସାମାଜିକ ସୁରକ୍ଷା ଏବଂ ଆର୍ଥିକ ଲାଭର ଏକ ବିସ୍ତୃତ ପ୍ୟାକେଜ୍ ପ୍ରଦାନ କରିବାକୁ ଯୋଜନା ହୋଇଛି । ଯାହା ଦ୍ବାରା ପରିମଳ ସେବା ଯୋଗାଣକୁ ଅନୁଷ୍ଠାନିକ ତଥା ନିୟନ୍ତ୍ରିତ କରାଯିବ । ଗରିମା ଯୋଜନା ଅନେକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଏବଂ କୋର ସଫେଇ କର୍ମଚାରୀଙ୍କ କଲ୍ୟାଣ ତଥା ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତିରେ ଅଗ୍ରଣୀ ଅଟେ ।
ବେତନର ୧୫ ପ୍ରତିଶତର ରିସ୍କ ଆଣ୍ଡ ହାର୍ଡସିପ ଭତ୍ତା ମଧ୍ୟ କୋର ସଫେଇ କର୍ମଚାରୀ ଗ୍ରେଡ୍ ୧ ସପକ୍ଷରେ ଅନୁମୋଦିତ ହୋଇଛି । ଏହି ଯୋଜନାରେ ଦିବ୍ୟାଙ୍ଗ ଓ ଅସୁସ୍ଥ ସଫେଇ କର୍ମଚାରୀଙ୍କୁ ଭତ୍ତା ପ୍ରଦାନ ପାଇଁ ଯୋଜନା ହୋଇଛି । କାରଣ ସେମାନେ ବିପଦଜନକ ଅବସ୍ଥାରେ କାର୍ଯ୍ୟ କରିବା ସମୟରେ ଆଘାତ ଓ ସଂକ୍ରମଣର ଶିକାର ହୋଇଥାନ୍ତି । ଯାହା ଆଂଶିକ ଏବଂ ସ୍ଥାୟୀ ଅକ୍ଷମତା ହୋଇପାରେ ।
ଏହି ବୈପ୍ଳବିକ ନିଷ୍ପତ୍ତି ସହିତ କୋର ସଫେଇ କର୍ମଚାରୀ ବିଦ୍ୟମାନ କର୍ମଚାରୀ କ୍ଷତି ପୂରଣ ଅଧିନିୟମ,୧୯୨୩ କିମ୍ବା କର୍ମଚାରୀଙ୍କ ରାଜ୍ୟ ବୀମା ଅଧିନିୟମ, ୧୯୪୮ ମାଧ୍ୟମରେ ଅକ୍ଷମତା କ୍ଷତି ପୂରଣ ଏବଂ ଅସୁସ୍ଥତା କ୍ଷତି ପୂରଣ ପାଇବେ । ଯେଉଁଠାରେ କୋର ସଫେଇ କର୍ମଚାରୀର ଯୋଗ୍ୟତା ଉପରୋକ୍ତ ଅଧିନିୟମ ପୂରଣ ହେବନାହିଁ । ବିଦ୍ୟମାନ ଶ୍ରମ ଆଇନ ଅନୁଯାୟୀ ସେମାନଙ୍କୁ ଏହା ପ୍ରଦାନ କରାଯିବ ।
କର୍ମଚାରୀ କ୍ଷତି ପୂରଣ ଆଇନ ୧୯୨୩ ଏବଂ କର୍ମଚାରୀଙ୍କ ରାଜ୍ୟ ବୀମା ଅଧିନିୟମ ୧୯୪୮ ଏବଂ ସେଠାରେ ତିଆରି ହୋଇଥିବା ଯୋଜନା ଗୁଡିକ ଗରିମା ଅଧୀନରେ ସୃଷ୍ଟି ହୋଇଥିବା କର୍ପସ ପାଣ୍ଠି ମାଧ୍ୟମରେ ସେମାନଙ୍କୁ ପ୍ରଦାନ କରାଯିବ । ରାଜ୍ୟ ସରକାରଙ୍କର ଏହି ସହାୟତା ଯୋଜନା ଆଗାମୀ ଦିନରେ ସଫେଇ କର୍ମଚାରୀଙ୍କ ପାଇଁ ବରଦାନ ହେବାକୁ ଯାଉଛି । ସହରାଞ୍ଚଳ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବାରେ ବେଶ ସହାୟକ ହେବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ