ଭୁବନେଶ୍ବର:ରାଜ୍ୟ ସରକାର ୧୧ଜଣ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଏବଂ ୭ଜଣ ଓଡ଼ିଶା ରାଜସ୍ୱ ସେବା (ଓଆର୍ଏସ୍)ଙ୍କୁ ବଦଳି କରିଛନ୍ତି । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ଓଏଏସ୍ଙ୍କ ମଧ୍ୟରେ ପିପିଲି ତହସିଲଦାର ସପନ କୁମାର ନନ୍ଦ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗକୁ ବଦଳି ହୋଇଛନ୍ତି । ସେହିପରି ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ଜୋନ୍ ଅଫିସର ଥିବା କାର୍ତ୍ତିକ ମଣ୍ଡଳ ଭଦ୍ରକ ଏଲ୍ଏଓ ହୋଇଛନ୍ତି । ତାଙ୍କ ସ୍ଥାନରେ ଗୁଣୁପୁର ଉପଜିଲ୍ଲାପାଳ ନିରଞ୍ଜନ ନାୟକ ପ୍ରକଳ୍ପର ଜୋନ୍ ଅଫିସର ନିଯୁକ୍ତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ପୋଡ଼ିଆ ବ୍ଲକ ବିଡିଓ ରଘୁନାଥ ମୁଣ୍ଡାରୀ ଚିତ୍ରକୋଣ୍ଡା ବିଡିଓ ନିଯୁକ୍ତ ହୋଇଥିବା ବେଳେ ତାଙ୍କ ସ୍ଥାନରେ ଖଇରପୁଟ ତହସିଲଦାର ରାମକୃଷ୍ଣ ନାୟକଙ୍କୁ ପୋଡ଼ିଆ ବିଡିଓଭାବେ ନିଯୁକ୍ତ କରାଯାଇଛି ।
ଅନ୍ୟପଟେ ଭୁବନେଶ୍ୱନର ମହାନଗର ନିଗମ( ବିଏମ୍ସି)ର ଡେପୁଟି କମିଶନର ଥିବା ମହେନ୍ଦ୍ର କୁମାର ବଢ଼େଇ ନୂଆପଡ଼ା ଉପଜିଲ୍ଲାପାଳ ହୋଇଛନ୍ତି । ସୁକିନ୍ଦା ତହସିଲଦାର କାବେରୀ ମୁଦୁଲି ମୋ ସ୍କୁଲ ଅଭିଯାନ ଅଧ୍ୟକ୍ଷାଙ୍କ ଓଏସ୍ଡି ନିଯୁକ୍ତ ହୋଇଥିବାବେଳେ ଲାଠିକଟା ବିଡିଓ ପ୍ରଶାନ୍ତ ତରାଇ ଓ କାଇଁଶି ତହସିଲଦାର ସୋନାଲି ଚାନ୍ଦ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ଓଏସ୍ଡିଭାବେ ନିଯୁକ୍ତ ହୋଇଛନ୍ତି ।