ଭୁବନେଶ୍ୱର: ବୟସ ଛୋଟ କିନ୍ତୁ କାମ ନୁହେଁ । ଆଜିର ଦିନରେ ଯେଉଁଠି ମଣିଷ ଟଙ୍କା ପଛରେ ଗୋଡେଉଛି, ସେଠି ରାଷ୍ଟ୍ର ଏବଂ ସମାଜ ସେବାରେ ଲାଗିପଡିଛନ୍ତି ଛୋଟ ବୟସର ସ୍କାଉଟ ଓ ଗାଇଡ଼ମାନେ । ଅର୍ଥ ପାଇଁ କରାଯାଉଥିବା କାମକୁ କରୁଛନ୍ତି ବିନା ଟଙ୍କାରେ । ନିଃସ୍ୱାର୍ଥପର ମନୋଭାବରେ କରିଚାଲିଛନ୍ତି ନିଜ କାମ । ତେବେ ସେମାନଙ୍କର ଏହି କାମକୁ ନେଇ ଖୁବ୍ ପ୍ରଶଂସା କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ବିଶ୍ଵପାଇଁ ସେମାନେ ପ୍ରେରଣାର ଏକ ଉତ୍ସ ବୋଲି ସେ କହିଛନ୍ତି ।
ବୁଧବାର ସ୍ଥାନୀୟ ରାଜଭବନ ପରିସରରେ 32ତମ ରାଜ୍ୟ ସ୍କାଉଟ ଓ ଗାଇଡ୍ସ ପୁରସ୍କାର ପ୍ରଦାନ ଅନୁଷ୍ଠିତ ହୋଇଛି । ଏହି ଅବସରରେ ବିଭିନ୍ନ ଜନକଲ୍ୟାଣ ଯୋଜନା ଓ ଗୋଷ୍ଠୀଉନ୍ନୟନ ମୂଳକ କାର୍ଯ୍ୟରେ ଉତ୍କର୍ଷ ଲାଭ କରିଥିବା ସ୍ବେଚ୍ଛାସେବୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଏହା ସହିତ ସଂଗଠନର କାର୍ଯ୍ୟକୁ ବ୍ୟାପକ କରିବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।