ଭୁବନେଶ୍ବର:ବାତ୍ୟା ‘ୟସ’ ଦ୍ୱାରା ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଲୋକମାନେ ବହୁତ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ପାଖାପାଖି ୯୦ ରୁ ୯୫ଟି ଗ୍ରାମ ପଞ୍ଚାୟତର ହଜାର ହଜାର ଲୋକ ଜଳ ବନ୍ଦିରେ ରହିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାର କୃଷକଙ୍କର ବିଶେଷ କରି ମୁଗ, ବିରି, ଖରାଦିନିଆ ଧାନ ଏବଂ ପନିପରିବା ଇତ୍ୟାଦି ବହୁ ପରିମାଣରେ ନଷ୍ଟ ହୋଇଯାଇଛି । ତେଣୁ ବାତ୍ୟା ପ୍ରଭାବିତଙ୍କ ଲାଗି ତୁରନ୍ତ ସହାୟତା ପ୍ରଦାନ କରିବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି ।
'ବାତ୍ୟା ପ୍ରପୀଡ଼ିତ ଲୋକଙ୍କୁ ତୁରନ୍ତ ଆର୍ଥିକ ସହାୟତା ଓ ସ୍ୱାସ୍ଥ୍ୟ ପ୍ରତି ସରକାର ଗୁରୁତ୍ୱ ଦିଅନ୍ତୁ'
ବାତ୍ୟା ପ୍ରଭାବିତଙ୍କ ଲାଗି ତୁରନ୍ତ ସହାୟତା ପ୍ରଦାନ କରିବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି । ଅଧିକ ପଢନ୍ତୁ...
ମୟୂରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲାରେ ବହୁ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି । ଆମ୍ଭ, ପଣସ ଫଳନ୍ତି ଗଛ ଏବଂ ଅନ୍ୟାନ୍ୟ ଫଳଗଛ ମଧ୍ୟ ବହୁ ପରିମାଣରେ ନଷ୍ଟ ହୋଇଯାଇଛି । ବାହାନଗା ଓ ବାଲେଶ୍ୱର ଅଞ୍ଚଳର ବହୁ ମତ୍ସ୍ୟଜୀବୀଙ୍କର ଡଙ୍ଗା ତଥା ଜାଲ ମଧ୍ୟ ନଷ୍ଟ ହୋଇଯାଇଛି । ତେଣୁ ଏସବୁ କ୍ଷୟକ୍ଷତିର ଅତିଶୀଘ୍ର ତାଲିକା ପ୍ରସ୍ତୁତ କରି କ୍ଷତିଗ୍ରସ୍ତ ଚାଷୀ, ମତ୍ସ୍ୟଜୀବୀ ଏବଂ ଉଦ୍ୟାନଚାଷୀଙ୍କୁ ଆର୍ଥିକ ସାହାଯ୍ୟ ଶୀଘ୍ର କରାଯାଉ ।
ଲୋକମାନଙ୍କର ଜୀବନ ଜୀବିକା ପ୍ରତି କୌଣସି ପରିସ୍ଥିତିରେ ଟାଳଟୁଳ ନୀତିକୁ କଂଗ୍ରେସ ଗ୍ରହଣ କରିବ ନାହିଁ । ତେଣୁ ରାଜ୍ୟ ସରକାର କିଭଳି ଜଳବନ୍ଦୀ ଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ସହିତ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ, ରାସନ ଓ ପିଇବା ପାଣି ପହଞ୍ଚାଇବାର ଆବଶ୍ୟକତା ରହିଛି । ଜଳସ୍ତର ହ୍ରାସ ପାଇଲା ପରେ ଯୁଦ୍ଧକାଳୀନ ଭିତ୍ତିରେ ସେ ସବୁ ଗ୍ରାମାଞ୍ଚଳ ଗୁଡ଼ିକର ରାସ୍ତା ଘାଟ ଠାରୁ ଆରମ୍ଭ କରି ବିଜୁଳି ଆଲୁଅର ପୁନରୁର୍ଦ୍ଧାର କରିବା ସହିତ ଜଳବନ୍ଦୀ ଥିବା ଲୋକମାନଙ୍କର ସ୍ୱାସ୍ଥ୍ୟର ସୁରକ୍ଷା ଏବଂ କୋରୋନା ମହାମାରୀ ରୋଗରୁ ରକ୍ଷା କରିବା ଦିଗରେ ସମସ୍ତ କାର୍ଯ୍ୟ ହାତକୁ ନେବା ଉଚିତ ।
ସରକାରୀ ତଥ୍ୟ ଅନୁସାରେ ୭ ଲକ୍ଷ ୩ ହଜାର ଲୋକଙ୍କୁ ବିଭିନ୍ନ ଆଶ୍ରୟ ସ୍ଥଳରେ ରଖାଯାଇଥିଲା ବୋଲି ସରକାର କହୁଛନ୍ତି । ବାଲେଶ୍ୱର ଜିଲ୍ଲାରୁ କେବଳ ୧ଲକ୍ଷ ୯୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଥିଲା । ୧୯୯୯ ମହାବାତ୍ୟା ପରେ ପରେ ଓଡ଼ିଶା ୟାସକୁ ମିଶାଇ ୮ଟି ବାତ୍ୟାକୁ ସାମନା କଲା । କିନ୍ତୁ ପ୍ରତିଥର ବାତ୍ୟା ଆସିଲେ ଆମେ ଅଧିକରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରୁଛୁ, ଏହାର ଅର୍ଥ କଣ ଏପର୍ଯ୍ୟନ୍ତ ରାଜ୍ୟରେ ବାତ୍ୟା ପ୍ରପୀଡ଼ିତ ଜିଲ୍ଲାରେ ତଳୁଆ ଅଂଚଳ ମାନଙ୍କରେ ଚାଳ ଘର ବା ଟିଣ ଛପର ଘର କରି ରହିଥିବା ଲୋକମାନଙ୍କୁ ଏପର୍ଯ୍ୟନ୍ତ ପକ୍କାଘର ଯୋଗାଇ ଦେଇ ପାରିନାହୁଁ କି? ଦୀର୍ଘ ୨୦ବର୍ଷ ଭିତରେ ଏ ସରକାରଙ୍କର ସଫଳତା କଣ ଏ ବାତ୍ୟାକୁ ମୁକାବିଲା ଓ ପରିଚାଳନା କରିବାରେ ଧରି ନିଆଯିବକି? ଯଦି ଖୋଦ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ସରକାର ଏହି ବାତ୍ୟା ମୁକାବିଲା ଓ ପରିଚାଳନରେ ଖୁସି ହୋଇଯିବେ ତାହେଲେ ଆମକୁ ଅଧିକରୁ ଅଧିକ ଲୋକଙ୍କୁ ପ୍ରତିଥର ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ପଡ଼ିବ ବୋଲି ନିରଞ୍ଜନ କହିଛନ୍ତି ।
ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି ୨୦୨୨ ମସିହା ସୁଦ୍ଧା ଗ୍ରାମାଞ୍ଚଳରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପକ୍କା ବାସଗୃହ ଯୋଗାଇ ଦିଆଯିବ । ୨୦୨୨ ମସିହା ହେବାକୁ ଆଉ ମାତ୍ର ଅଳ୍ପ କିଛି ମାସ ଅଛି ଯଦି ବାତ୍ୟା 'ୟସ' ଯୋଗୁଁ ୪ଟି ଜିଲ୍ଳାରେ ୭ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି, ତାହାହେଲେ ଯଦି ଏ ବାତ୍ୟାର ପ୍ରକୋପ ୧୦ ରୁ ୧୨ଟି ଜିଲ୍ଲାକୁ ପଡ଼ିଥାନ୍ତା ତାହାହେଲେ ପାଖାପାଖି ୧୫ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଥାନ୍ତା ? ତାହାହେଲେ ଏହି ଅଳ୍ପ କିଛି ମାସ ଭିତରେ ରାଜ୍ୟ ସରକାର ଓଡ଼ିଶାର ଗ୍ରାମାଞ୍ଚଳର ପ୍ରତ୍ୟେକ ବ୍ୟକ୍ତିଙ୍କୁ ପକ୍କାଘର ଯୋଗାଇ ଦେଇପାରିବେ ତ ? ୨୧ ବର୍ଷ ନିରନ୍ତର ଶାସନ ବ୍ୟବସ୍ଥାରେ ରହିଲା ପରେ ମଧ୍ୟ ଏବଂ ଓଡ଼ିଶା ବନ୍ୟା, ବାତ୍ୟା ପ୍ରପିଡ଼ିତ ରାଜ୍ୟ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ଏକ ସ୍ଥାୟୀ ସମାଧାନ କରିବାରେ ସରକାର ଅସମର୍ଥ କାହିଁକି ? ରାଜ୍ୟକୁ ଦୀଗଦର୍ଶନ ଦେବା, ରାଜ୍ୟର ଜନସାଧାରଣଙ୍କ ସ୍ୱାର୍ଥ ସମ୍ବଳିତ ଘଟଣା ଗୁଡ଼ିକୁ ଅତି ଗରୁତ୍ୱର ସହିତ ନେବା ଏ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦେଖାଯାଏ ନାହିଁ । କେବଳ ଗଣମାଧ୍ୟମରେ ବାହା ବାହା ନେବା ଏବଂ କିଭଳି ଏବଂ କେଉଁ ଉପାୟରେ ପୁରସ୍କାର ମିଳିବ ସେଥିପାଇଁ ଯଦି ସରକାର ସର୍ବଦା ଚେଷ୍ଟିତ ରହିବେ ତାହାହେଲେ ରାଜ୍ୟର ସଂକଟର ସ୍ଥାୟୀ ସମାଧାନ ହେବ କେମିତି ?
ଦୀର୍ଘ ୨୦ବର୍ଷ ଭିତରେ ରାଜ୍ୟ ସରକାର କେତେ ଲୋକ ବିଜୁ ପକ୍କାଘର ଯୋଜନାରେ ଘର ପାଇଛନ୍ତି, କେତେଲୋକ ଇନ୍ଦିରା ଆବାସ ପାଇଛନ୍ତି ଏବଂ ୨୦୧୪ ରୁ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଗୃହ ଯୋଜନାରେ କେତେଲୋକଙ୍କୁ ଘର ମିଳିଛି ଏହାର ଏକ ସବିଶେଷ ତଥ୍ୟ ରାଜ୍ୟ ସରକାର ପ୍ରକାଶ କରନ୍ତୁ । କେବଳ କାଗଜ କଲମରେ ଲୋକଙ୍କୁ ଘର ବଣ୍ଟାଯାଇଛି ନା ଘର ପ୍ରକୃତରେ ତିଆରି ହୋଇନିି । ତାହାଲେ ଆମେ ପ୍ରତିବର୍ଷ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆମେ ଲୋକମାନଙ୍କୁ କାହିଁକି ବାତ୍ୟା ଆଶ୍ରୟସ୍ଥଳୀକୁ ନେଉଛୁ? ଏହା ଭାରତ ବାହାରେ ଏବଂ ଭାରତ ଭିତରେ ଓଡ଼ିଶାର ସ୍ଥିତି ସଂପର୍କରେ ଯେଉଁ ସୂଚନା ଦେଉଛି ତାହା ଅତ୍ୟନ୍ତ ଦୁଃଖଦାୟକ ।
୧୯୯୯ ମହାବାତ୍ୟା ପରେ ପରେ ଓଡ଼ିଶାର କଂଗ୍ରେସ ଯେଉଁ ୪-୫ ମାସ ଥିଲା ସେସମୟରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ, ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବିଭାଗ ଖୋଲିବା ସହିତ କିଭଳି ଭାବରେ ବାତ୍ୟାକୁ ମୁକାବିଲା କରିବା ପାଇଁ ସମସ୍ତ ଗ୍ରାଉଣ୍ଡୱାର୍କ ପ୍ରସ୍ତୁତ କରିଥିଲା । ୨୦୦୦ ରୁ ୨୦୨୧ ମସିହା ଭିତରେ ରାଜ୍ୟର ଏ ବୃହତର ସ୍ୱାର୍ଥକୁ ରକ୍ଷା କରିବା ଦିଗରେ ଏବଂ ସ୍ଥାୟୀ ସମାଧାନ ଦିଗରେ ଆପଣଙ୍କ ସରକାର କ’ଣ ଚେଷ୍ଟା କରିଛନ୍ତି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି ।
କୋରୋନା ମହାମାରୀର ସଂକ୍ରମଣକୁ ବାତ୍ୟା ପ୍ରପୀଡ଼ିତ ଜିଲ୍ଲାମାନଙ୍କରେ କିଭଳି ରୋକାଯାଇ ପାରିବ ରାଜ୍ୟ ସରକାର ଏବଂ ରାଜ୍ୟ ପ୍ରଶାସନ ତୀକ୍ଷ୍ଣ ଦୃଷ୍ଟି ଦେବାକୁ ଦାବି କରିଛନ୍ତି । ବିଶେଷ କରି ସେହିସବୁ ଜିଲ୍ଲାମାନଙ୍କରେ ଅଧିକରୁ ଅଧିକ ଟେଷ୍ଟିଂ କରିବା ଏବଂ ରୋଗୀମାନଙ୍କୁ ତତକ୍ଷଣାତ ଚିକିତ୍ସା ସୁବିଧା ଯଥା ଔଷଧ ପତ୍ର ଏବଂ ତାଙ୍କର ରହିବା ପାଇଁ ଆଇସୋଲେସନ ସେଣ୍ଟର ତାଙ୍କ ପାଇଁ ଉପଲବ୍ଧ ହେବା ଉଚିତ ।
ଭୁବନେଶ୍ବର ଭବାନୀ ଶଙ୍କର ଦାସ, ଇଟିଭି ଭାରତ