ଓଡିଶା

odisha

ETV Bharat / city

ଇ-ଗେଜେଟ୍‌ ପୋର୍ଟାଲ୍‌ ଉନ୍ମୋଚିତ, ପୂର୍ଣ୍ଣ ଉପଯୋଗ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ - goverment launches e gazette portal

ଉନ୍ମୋଚନ ହେଲା ଓଡିଶାର ଇ-ଗେଜେଟ୍‌ ପୋର୍ଟାଲ୍‌ । ନୂଆବର୍ଷ ଅବସରରେ ଲୋକସେବା ଭବନରେ ଏହାର ଶୁଭାରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହାକୁ ଉନ୍ମୋଚନ କରିବା ସହ ଇ-ଗେଜେଟ୍‌ ବ୍ୟବସ୍ଥାର ପୂର୍ଣ୍ଣ ବିନିଯୋଗ କରିବା ପାଇଁ ସମସ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

gazette notifications in odisha
ଓଡିଶାର ଇ-ଗେଜେଟ୍‌ ପୋର୍ଟାଲ୍‌ ଉନ୍ମୋଚିତ, ପୂର୍ଣ୍ଣ ଉପଯୋଗ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

By

Published : Jan 1, 2020, 10:51 PM IST

ଭୁବନେଶ୍ବର: ଉନ୍ମୋଚନ ହେଲା ଓଡିଶାର ଇ-ଗେଜେଟ୍‌ ପୋର୍ଟାଲ୍‌ । ନୂଆବର୍ଷ ଅବସରରେ ଲୋକସେବା ଭବନରେ ଏହାର ଶୁଭାରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହାକୁ ଉନ୍ମୋଚନ କରିବା ସହ ଇ-ଗେଜେଟ୍‌ ବ୍ୟବସ୍ଥାର ପୂର୍ଣ୍ଣ ବିନିଯୋଗ କରିବା ପାଇଁ ସମସ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଓଡିଶାର ଇ-ଗେଜେଟ୍‌ ପୋର୍ଟାଲ୍‌ ଉନ୍ମୋଚିତ, ପୂର୍ଣ୍ଣ ଉପଯୋଗ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

5 ‘ଟି’ ସୂତ୍ରର ରୂପାୟନ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ବରୂପ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଓଡିଶା ସରକାରୀ ମୁଦ୍ରଣାଳୟର ଇ-ଗେଜେଟ୍‌ ପୋର୍ଟାଲ୍‌ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି,‘ଇ-ଗେଜେଟ୍‌ ଉତ୍ତମ ପ୍ରଶାସନ ପଥରେ ଏକ ମାଇଲ୍‌ଖୁଣ୍ଟ । ଏହା ଦ୍ବାରା ଗେଜେଟ୍‌ ବିଜ୍ଞପ୍ତି ତ୍ବରିତ ଓ ତ୍ରୁଟିମୁକ୍ତ ହେବ । ଏହା ହେବା ଫଳରେ ଟ୍ରକ୍‌ ଟ୍ରକ୍‌ କାଗଜର ପରିବହନ ଆବଶ୍ୟକ ପଡିବ ନାହିଁ ଓ ମୁଦ୍ରଣ ଖର୍ଚ୍ଚ ମଧ୍ୟ କମ୍‌ ହେବ ।’

ସେହିପରି ଇ-ଗେଜେଟ୍‌ ପୋର୍ଟାଲ୍‌ ବ୍ୟବସ୍ଥା ବିଷୟରେ ସୂଚନା ଦେଇ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ଶ୍ରୀନିବାସ୍‌ କହିଛନ୍ତି,‘ଏଥିରେ ବିଭାଗ ଓ ବିଷୟୱାରୀ ଗେଜେଟ୍‌ ଖୋଜିବାର ବ୍ୟବସ୍ଥା ରହିବ । ଗେଜେଟ୍‌ ପାଇଁ କୌଣସି ବ୍ୟକ୍ତିଙ୍କୁ ଆଉ ସରକାରୀ ମୁଦ୍ରଣାଳୟ, କାର୍ଯ୍ୟାଳୟ ବା ଲୋକସେବା ଭବନ ଆସିବାକୁ ପଡିବ ନାହିଁ । ଯେକୌଣସି ବ୍ୟକ୍ତି http://egazetteodisha.nic.in ରେ ଲଗ୍‌ଇନ୍‌ କରି ତାଙ୍କର ଆବଶ୍ୟକତା ଅନୁସାରେ ଗେଜେଟ୍‌ ପାଇପାରିବେ ।’ ଅନ୍ୟପଟେ ଇ-ଗେଜେଟ୍‌ ଏକ ସ୍ବୀକୃତିପ୍ରାପ୍ତ ସାର୍ବଜନୀନ ପତ୍ରିକା । ଏହାକୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗରେ ପ୍ରସ୍ତୁତ କରାଯାଇଛି । ଏପରି ମୁଦ୍ରଣ ଆଇ.ଟି ଆଇନ୍‌ର ଧାରା 8 ଅନୁଯାୟୀ ଆଇନତଃ ସିଦ୍ଧ ଅଟେ ବୋଲି ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶାସନ ସଚିବ କହିଛନ୍ତି ।

ଏହି ଇ-ଗେଜେଟ୍‌ ପୋର୍ଟାଲ୍‌ରେ ସରକାରଙ୍କ ବିଭିନ୍ନ ବିଭାଗ ନିଜକୁ ପଞ୍ଜୀକୃତ କଲାପରେ ପ୍ରକାଶନ ପାଇଁ ନିର୍ଦ୍ଧାରିତ ବିଷୟବସ୍ତୁ ପୋର୍ଟାଲ୍‌ରେ ଅପ୍‌ଲୋଡ୍‌ କରିବେ । ଗେଜେଟ୍‌ର ନମ୍ବର ଏବଂ ତାରିଖ ପୋର୍ଟାଲ୍‌ରେ ପ୍ରଦର୍ଶିତ ହେବ । ତେବେ ବିଷୟବସ୍ତୁର ବୈଧକରଣ ପାଇଁ ଇ-ଦସ୍ତଖତ ବ୍ୟବସ୍ଥା କରାଯାଇଛି । ଯେପରି କି କେହି କୌଣସି ବିଷୟବସ୍ତୁକୁ ପରିବର୍ତ୍ତନ ବା ବିକୃତ କରିପାରିବେ ନାହିଁ । ଏହି ପୋର୍ଟାଲ୍‌ ଏନ୍‌ଆଇସି ଦ୍ବାରା ଡିଜାଇନ୍‌ କରାଯାଇଛି ଯାହାକି ଭାରତରେ ପ୍ରଥମ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details