ଭୁବନେଶ୍ବର:ପୁରୀ ଜିଲ୍ଲା ଗୋପ ୧୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲା (BJD ZP Member Dharmendra Sahu Suicide Case) । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ (Education Minister Samir Dash)ଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଆଣି ତାଙ୍କ ଇସ୍ତଫା ଦାବିରେ ରାଜ୍ୟପାଳଙ୍କୁ ଫେରାଦ ହେଲା ଗୋପ ନିମାପଡା ସ୍ବାଭିମାନ ମଞ୍ଚ । ମନ୍ତ୍ରୀଙ୍କ ବ୍ୟଭିଚାରିତାକୁ ନେଇ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଲା ମଞ୍ଚ ।
ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲା: ରାଜ୍ୟପାଳଙ୍କୁ ଫେରାଦ ହେଲା ଗୋପ ନିମାପଡା ସ୍ବାଭିମାନ ମଞ୍ଚ ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବରୁ ତାଙ୍କ ମୃତ୍ୟୁ ପାଇଁ ଦାୟୀ ମନ୍ତ୍ରୀ ଓ ତାଙ୍କ ସ୍ତ୍ରୀଙ୍କ ସମେତ ୫ ଜଣଙ୍କ ନାଁ ସିଧାସଳଖ ଭାବେ କହିଯାଇଥିବା ବେଳେ କାହିଁକି ପୋଲିସ ସେମାନଙ୍କୁ ଗିରଫ କରୁନି ବୋଲି ପ୍ରଶ୍ନ କରିଛି ମଞ୍ଚ । ଏ ନେଇ ଗୋପ ନିମାପଡ଼ା ମଞ୍ଚର ସଭାପତି ସୁଧୀର ମହାନ୍ତି କହିଛନ୍ତି, " ଧର୍ମେନ୍ଦ୍ରଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଅଡିଓ ମଧ୍ୟ ପୋଲିସ ତଦନ୍ତ ଭକ୍ତ ହୋଇସାରିଛି । କାହିଁକି ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯାଉନାହିଁ । ତେଣୁ ଆମେ ଦାବି କରୁଛି କି ସେ ଶୀଘ୍ର ଇସ୍ତଫା ଦିଅନ୍ତୁ ନହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରନ୍ତୁ ।
ଏହା ବି ପଢନ୍ତୁ- ଗଣଶିକ୍ଷା ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବି, ବଡ଼ଦାଣ୍ଡରେ ବିଜେପିର ପଦଯାତ୍ରା
ନଚେତ ରାଜ୍ୟରେ ମନ୍ତ୍ରୀଙ୍କ ବ୍ୟଭିଚାର ବଢିବ । ଯେଉଁଠି ମନ୍ତ୍ରୀ ଏଭଳି କରୁଛନ୍ତି ସେଠି ନାରୀ ସୁରକ୍ଷିତ କିଭଳି ରହିବେ । ତେଣୁ ଏନେଇ ସରକାର ତତ୍ପରତା ଦେଖାଇ ମନ୍ତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଅନ୍ତୁ ।" ସେପଟେ ଏହି ଘଟଣାକୁ ନେଇ ବିଜେପି ମଧ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଗତକାଲି ପୁରୀ ବଡ଼ଦାଣ୍ଡରେ ବିଜେପି ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ମାଉସୀ ମା' ମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏଁ ପଦଯାତ୍ରା କରିଥିଲା ।
ସୂଚନା ଥାଉ କି ଗତ ସେପ୍ଟେମ୍ବର ୨୪ ତାରିଖରେ ଗୋପ ବ୍ଲକ ୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଶିଶୁପାଳଗଡ ଲକ୍ଷ୍ମୀ ବିହାରସ୍ଥିତ ଘରୁ ତାଙ୍କ ମୃତଦେହ ଉଦ୍ଧାର କରି ପୋଲିସ ତଦନ୍ତ ଚଳାଇଛି । କେଉଁ କାରଣକୁ କେନ୍ଦ୍ର କରି ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ପାରିବାରକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଦୁଇଟି ଫୋନରେ ଅନେକ ତଥ୍ୟ ରହିଥିବା ସେ ଫେସବୁକର ଶେଷ ପୋଷ୍ଟରେ ଲେଖିଥିଲେ ।
ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ସାହୁ ସାମ୍ବାଦିକ ଅକ୍ଷୟ ନାୟକଙ୍କ ସହ କଥା ହୋଇଥିଲେ । ସେ ନିଜ ଜୀବନର କିଛି ରୋଚକ ତଥ୍ୟ ଅକ୍ଷୟଙ୍କୁ କହିଥିଲେ । ଏ ନେଇ ପୋଲିସ ଅକ୍ଷୟଙ୍କୁ ନୋଟିସ ମଧ୍ୟ କରିଥିଲା । ନୋଟିସ ଆଧାରରେ ଡିସିପି ଅଫିସରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ ଅକ୍ଷୟ । ଏକ ଭିଡିଓକୁ ନେଇ ବିଚଳିତ ଥିଲେ ଧର୍ମେନ୍ଦ୍ର । ସେହି ଭିଡିଓ ତାଙ୍କ ମୋବାଇଲରେ ଥିଲା ବୋଲି ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ଘଟଣାରେ ମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ଥିବା ନେଇ ବିଜେପି ଅଭିଯୋଗ କରି ତାଙ୍କ ବହିଷ୍କାର ଦାବି କରିଛି ।
ଇଟିଭି ଭାରତ, ଭୁବନେଶ୍ବର