ଓଡିଶା

odisha

ETV Bharat / city

ସୁବର୍ଣ୍ଣ ଜୟନ୍ତୀ ପାଳିବ ଧଉଳି ଶାନ୍ତିସ୍ତୁପ - Golden jubilee celebration of Dhauli Stupa

୧୯୭୨ ମସିହାରେ ଧଉଳି ପାହାଡରେ ପ୍ରତିଷ୍ଠିତ ବିଶ୍ୱବିଦିତ ଶାନ୍ତିସ୍ତୁପ ଏବଂ ବୌଦ୍ଧ ପୁଣ୍ୟପୀଠ ଚଳିତ ବର୍ଷ ୫୦ ବର୍ଷ ପୂରଣ କରୁଛି । ଏହାକୁ ସ୍ମରଣୀୟ କରିବା ପାଇଁ ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ହେବ । ଏଥି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଅଧିକ

ସୁବର୍ଣ୍ଣ ଜୟନ୍ତୀ ପାଳିବ ଧଉଳି ଶାନ୍ତିସ୍ତୁପ
ସୁବର୍ଣ୍ଣ ଜୟନ୍ତୀ ପାଳିବ ଧଉଳି ଶାନ୍ତିସ୍ତୁପ

By

Published : Sep 9, 2022, 10:37 AM IST

ଭୁବନେଶ୍ବର: ସୁବର୍ଣ୍ଣ ଜୟନ୍ତୀ ପାଳିବ ଧଉଳି ଶାନ୍ତିସ୍ତୁପ । ୧୯୭୨ ମସିହାରେ ଧଉଳି ପାହାଡରେ ପ୍ରତିଷ୍ଠିତ ବିଶ୍ବବିଦିତ ଶାନ୍ତିସ୍ତୁପ ଏବଂ ବୌଦ୍ଧ ପୁଣ୍ୟପୀଠ ଚଳିତ ବର୍ଷ ୫୦ ବର୍ଷ ପୂରଣ କରୁଛି । ଏହାକୁ ସ୍ମରଣୀୟ କରିବା ପାଇଁ ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଉତ୍ସବ ପାଳନ ସମ୍ବନ୍ଧିତ କାର୍ଯ୍ୟକ୍ରମ ଏବଂ ପରିଚାଳନା ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଛନ୍ତି । ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖରେ ମୁଖ୍ୟ ଉତ୍ସବ ପାଳନ ନିମନ୍ତେ ସ୍ଥିର ହୋଇଛି । ଏଥିରେ ପୃଥିବୀର ବିଭିନ୍ନ ଦେଶରୁ ପ୍ରାୟ ୧୫୦ ବୌଦ୍ଧ ସନ୍ୟାସୀ ଯୋଗ ଦେବାର ସମ୍ଭାବନା ରହିଛି । ମୁଖ୍ୟ ଉତ୍ସବ ଦିନ ଭୁବନେଶ୍ବରରୁ ଧଉଳି ପର୍ଯ୍ୟନ୍ତ ଏକ ଶାନ୍ତି ଶୋଭାଯାତ୍ରା ଆୟୋଜିତ ହେବ ।

ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ପ୍ରସ୍ତୁତିର ଅଗ୍ରଗତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ସେ କହିଛନ୍ତି ," ଶାନ୍ତି ସ୍ତୁପ ଓଡ଼ିଶାର ଅନ୍ୟ ଏକ ପରିଚୟ । ଓଡ଼ିଶା ସରକାର ଏବଂ କଳିଙ୍ଗ ନିପ୍ପୋନ୍ ବୁଦ୍ଧ ସଂଘ ସହଭାଗିତାରେ ପ୍ରତିଷ୍ଠିତ ଏହି କିର୍ତ୍ତୀସ୍ତମ୍ଭ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ତେଣୁ ଏହାର ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଆର୍ଥିକ ଏବଂ ପ୍ରଶାସନିକ ସହଯୋଗ ଯୋଗାଇ ଦିଆଯିବ" । ବର୍ତ୍ତମାନ ଓଡ଼ଶା ସରକାରଙ୍କ ତରଫରୁ ପ୍ରାୟ ୧.୮୭ କୋଟି ଟଙ୍କା ବ୍ୟୟ ବରାଦରେ କରାଯାଉଥିବା ଶାନ୍ତିସ୍ତୁପ ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚଳିତ ମାସ ଶେଷସୁଦ୍ଧା ସାରିବା ପାଇଁ ମୁଖ୍ୟ ଶାସନ ସଚିବ ପୂର୍ତ୍ତ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଶାନ୍ତିସ୍ତୁପକୁ ସଂଯୋଗ କରୁଥିବା ରାସ୍ତାର ନବୀକରଣ ଓ ଆଲୋକିକରଣ କାର୍ଯ୍ୟ ଉତ୍ସବର ବହୁ ଆଗରୁ ସାରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।ତେବେ ଏହି ବୈଠକରେ ଉପସ୍ଥିତ ଥିଲେ ପଦ୍ମବିଭୁଷଣ ସୁଦର୍ଶନ ସାହୁ । ସେ କହିଛନ୍ତି ଯେ, "ସଂରକ୍ଷଣ କାର୍ଯ୍ୟ ଦେଖିବା ପାଇଁ ଜାପାନରୁ ଆସିଥିବା ବୈଷୟିକ ଯନ୍ତ୍ରୀମାନେ ଓଡ଼ିଶା ସରକାରଙ୍କ ଦ୍ବାରା କରାଯାଉଥିବା ଗୁଣାତ୍ମକମାନ କାର୍ଯ୍ୟର ପ୍ରଶଂସା କରିଛନ୍ତି "। ଧଉଳିର ମୁଖ୍ୟ ସନ୍ୟାସୀ ମଧ୍ୟ ଏହି କାର୍ଯ୍ୟର ମାନ ଏବଂ ଅଗ୍ରଗତି ବିଷୟରେ ସନ୍ତୋଷ ପ୍ରକାଶ କରିଛନ୍ତି । ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ମଞ୍ଚ ପ୍ରସ୍ତୁତି, ସାଜସଜ୍ଜା, ବିଭିନ୍ନ ଦେଶରୁ ଆସୁଥିବା ସନ୍ୟାସୀ ଓ ପ୍ରତିନିଧି ମାନଙ୍କର ଆଗମନ, ରହଣୀ, ଉତ୍ସବରେ ଯୋଗଦାନ, ଆତିଥ୍ୟ ଆଦି ବିଷୟରେ ସବିଶେଷ ଯୋଜନା ଏବଂ ଖର୍ଚ୍ଚ ଆକଳନ କରି ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଦାଖଲ କରିବା ପାଇଁ ମୁଖ୍ୟ ଶାସନ ସଚିବ ସ୍ଥାନୀୟ ଧଉଳି ଉନ୍ନୟନ କମିଟିଙ୍କୁ ପରାମର୍ଶ ଦେଇଛନ୍ତି । ଏହି କମିଟି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରିବ ।

ଧଉଳିରେ ସ୍ଥାପନ କରାଯାଇଥିବା ବିଭିନ୍ନ ପ୍ରକାର ପର୍ଯ୍ୟଟକ ସୁବିଧା କେନ୍ଦ୍ର, ରାସ୍ତା ଆଲୋକ ଆଦିର ରକ୍ଷଣା ବେକ୍ଷଣ ଓ ପରିସରର ପରିଚ୍ଛନ୍ନତା ଆଦି କାର୍ଯ୍ୟ ନିୟମିତ ଭାବେ କରିବା ପାଇଁ ଏହି ସ୍ଥାନୀୟ କମିଟିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ କମିଟି ପ୍ରବେଶ ଟିକେଟ ଓ ପାର୍କିଂ ଟିକେଟ ଆଦିରୁ ସଂଗୃହିତ ରାଶି ବିନିଯୋଗ କରିବେ । ଶାନ୍ତିସ୍ତୁପ ପାଦଦେଶ ପ୍ଲାଟଫର୍ମର ନବୀକରଣ, ଆଲୋକ ଏବଂ ଶବ୍ଦ ପ୍ରଦର୍ଶନୀର ନବୀକରଣ ଏବଂ ପୁନଃଆରମ୍ଭ ଦୂରରୁ ସ୍ତୁପର ଦୃଶ୍ୟକୁ ଅବରୋଧ କରୁଥିବା ବୃକ୍ଷଡାଳ ଆଦିର ସଜ୍ଜୀକରଣ, ରାସ୍ତା ଆଲୋକିକରଣ, ହସ୍ତଶିଳ୍ପ ବଜାର ଏବଂ ସପିଂ କମ୍ପେଲକ୍ସକୁ ବ୍ୟବସାୟ ଅନୁକୂଳ ଉପଯୁକ୍ତ ଯାଗାକୁ ସ୍ଥାନାନ୍ତରଣ ଆଦି ବିଷୟରେ ଆଲୋଚନା ହୋଇ ସେସ ସବୁର ସମାଧାନ ପନ୍ଥା ନିର୍ଦ୍ଧାରଣ କରାଯାଇଥିଲା ।

ପଦ୍ମ ବିଭୁଷଣ ସୁଦର୍ଶନ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚ୍ଚିନ୍ ରାମଚନ୍ଦ୍ର ଯାଦବ, ସୂଚନା ଓ ଲୋକ ସଂପର୍କ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ସଂସ୍କୃତି ନିର୍ଦ୍ଦେଶକ ରଂଜନ କୁମାର ଦାସଙ୍କ ସମେତ ଧଉଳିର ମୁଖ୍ୟ ସନ୍ୟାସୀ ଓ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details