ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ଏକକ ଝରକା ନିବେଶକ ସୁବିଧା ଏବଂ ଅନୁଧ୍ୟାନ ପୋର୍ଟାଲ ଗୋ ସ୍ବିଫ୍ଟ୍ ଜାତୀୟ ସ୍ତରୀୟ ଇ-ଗଭର୍ଣ୍ଣାସ୍ ସିଲଭର୍ ପୁରସ୍କାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ‘ଏକ୍ସଲେନ୍ସ ଇନ୍ ଗଭର୍ଣ୍ଣମେଂଟ୍ ପ୍ରୋସେସ୍ ରି-ଇଞ୍ଜିନିୟରିଂ ଫର୍ ଡିଜିଟାଲ୍ ଟ୍ରାନ୍ସ୍ଫରମେଶନ୍’ କ୍ୟାଟାଗୋରୀ-୧ରେ ହାସଲ କରିଛି ।
ଏହି ପୁରସ୍କାର ଭାରତ ସରକାରଙ୍କ ପ୍ରଶାସନିକ ସୁଧାର ଏବଂ ସାଧାରଣ ଅଭିଯୋଗ ବିଭାଗର ଇ-ଗଭର୍ଣ୍ଣାସ୍ ଡିଭିଜନ୍ ପକ୍ଷରୁ ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ୨୩ତମ ଜାତୀୟସ୍ତରୀୟ ଇ-ଗଭର୍ଣ୍ଣାସ୍ ସମ୍ମିଳନୀରେ ମୁମ୍ବାଇଠାରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଗୋ ସ୍ବିଫ୍ଟ ପୋର୍ଟାଲ୍ ଏକ ସିଙ୍ଗଲ୍ ୱିଣ୍ଡୋ, ୱାନ୍-ଷ୍ଟପ୍ ସଲ୍ୟୁସନ୍ । ଏହା ଶିଳ୍ପ ପ୍ରକଳ୍ପ ଅନୁମୋଦନ ଏବଂ କ୍ଲିୟରାନ୍ସ କ୍ଷେତ୍ରରେ କାର୍ଯ୍ୟ କରିଥାଏ । ଏହି ପୋର୍ଟାଲ ନିବେଶକଙ୍କୁ ଆବଶ୍ୟକ ସହାୟତା ନିବେଶ ପ୍ରକ୍ରିୟାରେ ଉପଲବ୍ଧ କରାଇଥାଏ । ଏହି ପୋର୍ଟାଲର ୟୁଏସ୍ପିଏସ୍ ଗୋ-ପ୍ଲସ୍ ଟୁଲ୍ ଏକ ଅନ୍ ଲାଇନ୍ ଜିଆଇଏସ୍ ବେସଡ୍ ଇଣ୍ଡଷ୍ଟ୍ରିଆଲ ଲ୍ୟାଣ୍ଡ୍ ବ୍ୟାଙ୍କ ।
ଏହା ବିଶ୍ବବ୍ୟାପି ନିବେଶକଙ୍କୁ ସେମାନଙ୍କ ପ୍ରକଳ୍ପ ପାଇଁ ଆବଶ୍ୟକ ଉପଯୁକ୍ତ ଜମି ସହାୟତା ଯୋଗାଇ ଦେଇଥାଏ । ସେହିପରି ଗୋ-ସ୍କାଇଲ୍ ସମାନ ସମୟରେ ବିଭିନ୍ନ ବିଭାଗ ଦ୍ବାରା ଚିନ୍ତାମୁକ୍ତ ଭାବେ ଶିଳ୍ପଗୁଡ଼ିକର ନିରୀକ୍ଷଣ ପ୍ରକ୍ରିୟାକୁ ନିଶ୍ଚିତ କରିଥାଏ । ଏହା ଦ୍ବାରା ସମୟ ଏବଂ ନିବେଶକ କମ୍ପାନୀଗୁଡ଼ିକର ଅର୍ଥ ଅପଚୟ ହୋଇ ନଥାଏ । ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାରେ ଏହି ସମାଧାନ ଉପଲବ୍ଧ ହେଉଛି । ଏହା ରାଜ୍ୟର ଶିଳ୍ପସଂସ୍ଥାଗୁଡ଼ିକ ଦ୍ବାରା ବେଶ୍ ପରିଚିତି ହାସଲ କରିପାରିଛି । ସେହିପରି ପ୍ରୋତ୍ସାହନ ପ୍ରଶାସନ ମଧ୍ୟ ଅନ୍ ଲାଇନ୍ରେ ଏହି ପୋର୍ଟାଲ ସହିତ ସଂଯୁକ୍ତ ।