ଭୁବନେଶ୍ବର : ରାଜ୍ୟରେ ବାଘ ସଙ୍କଟ ଦୂର କରିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଏନେଇ ଖୁବଶୀଘ୍ର କରାଯିବ ଜେନେଟିକ ଷ୍ଟଡି । ବେଙ୍ଗାଲୁରୁର ପ୍ରାଣୀ ବିଜ୍ଞାନ ଜାତୀୟ କେନ୍ଦ୍ର ସହ ମିଶି କରାଯିବ ଜେନେଟିକ ଷ୍ଟଡି ବୋଲି କହିଛନ୍ତି ନନ୍ଦନକାନନ ନିର୍ଦ୍ଦେଶକ ।
ନନ୍ଦନକାନନରେ ଦିନକୁ ଦିନ ଲୋପ ପାଉଛି ଧଳା ବାଘ ବଂଶ । ଧଳା ବାଘ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏବେ ଧଳା ବାଘଙ୍କ ସ୍ଥିତି ସଙ୍ଗିନ ରହିଛି । ତଥ୍ୟ ଅନୁସାରେ 2000 ରେ ଏଠାରେ 34 ଟି ଧଳା ବାଘ ଥିବା ବେଳେ ଏବେ ସଂଖ୍ୟା ହ୍ରାସ ପାଇ 7 ରେ ପହଞ୍ଚିଛି । ଦିନ ଆସିବ ପ୍ରାଣୀ ଉଦ୍ୟାନରେ ଧଳାବାଘ ଦେଖିବା ସ୍ବପ୍ନ ପାଲଟି ଯିବ ବୋଲି ଚର୍ଚ୍ଚା ହେଉଛି ।
ବର୍ତ୍ତମାନ ନନ୍ଦନକାନନରେ 26 ଟି ବାଘ ଅଛନ୍ତି । ସେଥିମଧ୍ୟରୁ 7ଟି ଧଳା ବାଘ,16 ଟି ସାଧାରଣ ବାଘ ଏବଂ 3ଟି କଳା ବାଘ ରହିଛନ୍ତି । ଅନ୍ୟପଟେ ବିଶ୍ବ ବ୍ୟାଘ୍ର ଦିବସ ଅବସରରେ ପ୍ରାଣୀ ଉଦ୍ୟାନ ପକ୍ଷରୁ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା, ଦସ୍ତଖତ ଅଭିଯାନ କରାଯାଇ ସଚେତନ କରାଯାଇଛି । ମୁଖ୍ୟ ପୋଷ୍ଟ ମାଷ୍ଟର ଜେନେରାଲ ଓଡିଶା ପରିମଣ୍ଡଳ ଦ୍ବାରା ସ୍ବତନ୍ତ୍ର କଭର ଉପରେ ନନ୍ଦନକାନନ ବାଘ ଷ୍ଟାମ୍ପ ଉନ୍ମୋଚିନ କରାଯାଇଛି।