ଓଡିଶା

odisha

ETV Bharat / city

ଗଞ୍ଜାମ କୋରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୨୫ କୋଟି ପ୍ୟାକେଜ ଘୋଷଣା - କୋରୋନା ସ୍ଥିତି ସମୀକ୍ଷା

ଗଞ୍ଜାମ ଜିଲ୍ଲାର କୋରୋନା ସ୍ଥିତି ସମୀକ୍ଷା ନେଇ ବୈଠକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ବସିଥିବା ଏହି ବୈଠକରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିଥିଲେ । କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ 25 କୋଟିର ପ୍ୟାକେଜ ଘୋଷଣା ହୋଇଥିବା ବେଳେ ଜିଲ୍ଲାରେ ମଙ୍ଗଳବାରଠୁ ପ୍ଲାଜାମା ଥେରାପି ଆରମ୍ଭ ହେବ ।

Ganjam Corona situation reviewed through video conferencing
ଭିସି ମାଧ୍ୟମରେ ଗଞ୍ଜାମ କୋରୋନା ସ୍ଥିତି ସମୀକ୍ଷା କଲେ ବାଚସ୍ପତି ଓ ମୁଖ୍ୟମନ୍ତ୍ରୀ

By

Published : Jul 20, 2020, 6:40 PM IST

Updated : Jul 20, 2020, 8:36 PM IST

ଭୁବନେଶ୍ବର:ଗଞ୍ଜାମ ଜିଲ୍ଲାର କୋରୋନା ସ୍ଥିତି ସମୀକ୍ଷା ନେଇ ବୈଠକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ବସିଥିଲା ବୈଠକ । ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭିସି ମାଧ୍ୟମରେ ଗଞ୍ଜାମ କୋରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ମଙ୍ଗଳବାର ଜିଲ୍ଲାର ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ କରାଯିବ । ଏହାଦ୍ବାରା ଗଞ୍ଜାମ ଓ ଆଖପାଖ ଜିଲ୍ଲାର ଗୁରୁତର କୋଭିଡ ସଂକ୍ରମିତ ପ୍ଲାଜମା ଥେରାପି ସୁବିଧା ପାଇପାରିବେ ଏବଂ କୋଭିଡ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

ସୂଚନାନୁସାରେ, ଭୁବନେଶ୍ବରର ସମ୍‌ କୋଭିଡ ହସ୍ପିଟାଲ ଓ କଟକର ଅଶ୍ବିନୀ କୋଭିଡ ହସ୍ପିଟାଲରେ ଗତ ୧୮ ତାରିଖ ଠାରୁ ପ୍ଲାଜମା ଥେରାପି ଆରମ୍ଭ ହୋଇଛି । ଏହା ସୁଫଳ ମଧ୍ୟ ହୋଇଛି । ସମୁଦାୟ ୬ ଜଣ ଗୁରୁତର ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ 2 ଜଣଙ୍କ ଅବସ୍ଥା ସ୍ଥିର ରହିଛି ।

ସେହିପରି ବ୍ରହ୍ମପୁର ଅମିତ ହସ୍ପିଟାଲରେ ୧୬ଟି ଆଇସିୟୁ ବେଡ୍‌ ସହିତ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରାଯିବ । ଏହାକୁ କଟକର ଅଶ୍ବିନୀ ହସ୍ପିଟାଲ ପରିଚାଳନା କରିବ । ଏଥିପାଇଁ ସୋମବାର ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଅଶ୍ବିନୀ ହସ୍ପିଟାଲ ମଧ୍ୟରେ MoU ସ୍ବାକ୍ଷରିତ ହୋଇଛି ।

ଭିସି ମାଧ୍ୟମରେ ଗଞ୍ଜାମ କୋରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମରେ କୋଭିଡ ମୁକାବିଲାକୁ ଆହୁରି ସୁଦୃଢ କରିବା ପାଇଁ ୨ ଜଣ ଆଇଏଏସ୍‌ ଅଫିସର, ୨୫ ଜଣ ଓଏଏସ୍‌ ଅଫିସର, ୧୦୫ ଜଣ ଓଆରଏସ ଅଫିସର, ୩୦ ଜଣ ଏମବିବିଏସ ଡାକ୍ତର, ୧୦୦ ଜଣ ଆୟୁଷ ଡାକ୍ତର ଏବଂ ୨୭ ଜଣ ଲାବ୍ରୋଟୋରୀ ଟେକନିସିଆନଙ୍କୁ ନିୟୋଜିତ କରାଯାଇଛି । ଏହାସହିତ ୩ ଜଣ ଡିଏସ୍‌ପିଙ୍କ ସମେତ ବିଭିନ୍ନ ପାହ୍ୟାର ଅଫିସର ଏବଂ ୧୦ ପ୍ଲାଟୁନ ପୋଲିସ ମଧ୍ୟ ପଠାଯିବା ପାଇଁ ନିଷ୍ପତ୍ତି ହୋଇଛି ।

ତେବେ ଗଞ୍ଜାମ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଜିଲ୍ଲାରେ ଆମ୍ବୁଲାନ୍ସ ସେବାକୁ ଆହୁରି ଦକ୍ଷ ଓ ସୁଦୃଢ କରାଯାଇ ରୋଗୀ ମାନଙ୍କୁ ଯେପରି ଠିକ୍‌ ସମୟରେ ସେବା ଯୋଗାଇ ଦେଇପାରିବେ ତାକୁ ସୁନିଶ୍ଚିତ କରାଯିବ। ଆବଶ୍ୟକତା ଅନୁଯାୟୀ ୧୦୦ଟି ଆମ୍ବୁଲାନ୍ସ ନିୟୋଜିତ କରିବା ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି ।

କୋଭିଡ ସମୟରେ ଲୋକଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ସ୍ବତନ୍ତ୍ର ଫୋକସ କରାଯାଇ କାଉନସେଲିଂ ପାଇଁ ପ୍ରଫେସନାଲ୍‌ ମାନଙ୍କୁ ଦାୟିତ୍ବ ଦିଆଯିବ । ଏତଦବ୍ୟତୀତ ରାଜ୍ୟବ୍ୟାପୀ ବିଭିନ୍ନ କୋଭିଡ ହସ୍ପିଟାଲ, କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର କିମ୍ବା କୋଭିଡ କେୟାର କେନ୍ଦ୍ରରେ କାମ କରୁଥିବା ଡାକ୍ତର, ପାରା ମେଡିକାଲ କର୍ମଚାରୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ପାଇଁ ଦୈନିକ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି ।

ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପର୍ଯ୍ୟବେକ୍ଷଣ କରୁଥିବା ଆଶାକର୍ମୀମାନଙ୍କୁ ୨୦୨୦ ଜୁଲାଇ ମାସରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ସର୍ଭେ ଓ ସ୍ବତନ୍ତ୍ର ସର୍ଭେ ପାଇଁ ମାସକୁ ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଇବେ । ଗଞ୍ଜାମରେ କୋଭିଡ ନିୟନ୍ତ୍ରଣ ପାଇଁ ସମୟୋଚିତ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ଧନ୍ୟବଦ ଜଣାଇଥିଲେ । ଆଗକୁ ମଧ୍ୟ ଏହିପରି ଭାବେ ଉତ୍ସର୍ଗୀକୃତ ସେବା ଜାରି ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ତେବେ ଆଜିର ଏହି ସମୀକ୍ଷା ବୈଠକରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମେତ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଧ୍ୟ ଭିଡିଓ କନପରେନ୍ସିଂରେ ଯୋଗ ଦେଇ ସୁଚିନ୍ତିତ ମତାମତ ଦେଇଥିଲେ ।

ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲାପାଳ କୋଭିଡ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ପୋଲିସ ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jul 20, 2020, 8:36 PM IST

ABOUT THE AUTHOR

...view details