ଭୁବନେଶ୍ବର:ପଦ୍ମାଳୟା ପଦ୍ମକରାଂ ପଦ୍ମପତ୍ର ନିଭେକ୍ଷଣାମ୍ ବନ୍ଦେ ପଦ୍ମମୁଖୀଂ ପ୍ରିୟାମ୍ୟହମ୍....ଚାଲିଛି ପାର୍ବଣ ଋତୁ । ଜଗତଜନନୀଙ୍କ ମା' ଦୁର୍ଗାଙ୍କ ମେଲାଣି ପରେ ଧରାପୃଷ୍ଠକୁ ଧରାବତଣ କରିବେ ଧନଦାତ୍ରୀ ମା' ଲକ୍ଷ୍ମୀ । ଆଜି ଗଜଲକ୍ଷ୍ମୀ ପୂଜା । ଓଡିଶାର ଅନ୍ୟତମ ପ୍ରସିଦ୍ଧ ଗଣପର୍ବ ହେଉଛି ଗଜଲକ୍ଷ୍ମୀ ପୂଜା । ପଦ୍ମହସ୍ତା କମଳାଙ୍କୁ ସ୍ବାଗତ ନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର । ସୁଖ, ସମୃଦ୍ଧି, ସୌଭାଗ୍ୟ, ସୁଖ୍ୟାତି ଓ ଐଶ୍ବର୍ଯ୍ୟର ଭଣ୍ଡାର ନେଇ ବିରାଜିବ ମାଆ, ଲକ୍ଷ୍ମୀ । ଘଣ୍ଟ ଘଣ୍ଟା, ଶଙ୍ଖନାଦରେ କମ୍ପିବ ଗଗନ ପବନ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚଳିତ ବର୍ଷ କୋରୋନା କଟକଣା ମୁକ୍ତ ପୂଜା ପାଇଁ ଅନୁମତି ମିଳିବା ପରେ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ଭରି ରହିଛି । କେଉଁଠି 10 ଦିନ ତ କେଉଁଠି 7 ଦିନ ଧରି ପୂଜା ପାଇବେ ମା' ଲକ୍ଷ୍ମୀ । ରାଜଧାନୀ ଭୁବନେଶ୍ବରଠୁ ନେଇ ଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳରେ ଜୋରଦାର ପ୍ରସ୍ତୁତି ହୋଇଛି ।
ସାଧାରଣତଃ ଓଡିଆ ପରମ୍ପରାରାରେ ମା' ଲକ୍ଷ୍ମୀଙ୍କୁ ପୂଜା କଲେ ଧନପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ମା'ଲକ୍ଷ୍ମୀଙ୍କୁ ଧନସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ଯ୍ୟ ଓ ପ୍ରେମର ଦେବୀ ମଧ୍ୟ କୁହାଯାଏ । ଲକ୍ଷ୍ମୀଙ୍କର ନାମ ଲକ୍ଷ ଶବ୍ଦରୁ ଆସିଛି । ରାମାୟଣ ମତେ ସମୁଦ୍ର ମନ୍ଥନ ସମୟରେ ଅମୃତପାତ୍ର ଧରି ସେ ପୃଥିବୀ ପୃଷ୍ଠକୁ ଆସିଥିଲେ । ଏଥିପାଇଁ ତାଙ୍କୁ ସମୁଦ୍ର କନ୍ୟା ମଧ୍ୟ କୁହାଯାଏ । ଓଡିଶାର ବିଭିନ୍ନ ସ୍ଥାନରେ ଏହି ପୂଜା ବେଶ ଧୂମଧାମରେ କରାଯାଏ । ବିଶେଷ କରି ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ପୂଜା ପ୍ରସିଦ୍ଧ । ଲକ୍ଷ୍ମୀପୂଜା ଆସିଲେ ଢେଙ୍କାନାଳ ସହରକୁ ଲୋକଙ୍କ ସୁଅ ଛୁଟେ । ଚିକିମିକି ଆଲୁଅରେ ସହର ଝଲସି ଉଠୁଥିବା ବେଳେ ପୂଜାମଣ୍ଡପ ଗୁଡିକରେ ଲୋକଙ୍କ ଭିଡ ଜମିଥାଏ ।
ଢେଙ୍କାନାଳରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା...