ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲା ଯୋଜନା କମିଟି ବୈଠକ ଭର୍ଚୁଆଲି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ନବରଙ୍ଗପୁର ଜିଲ୍ଲାର ବିକାଶ ପାଇଁ ତାଙ୍କର ପୂର୍ଣ୍ଣ ସହଯୋଗ ରହିବ ବୋଲି ମନ୍ତ୍ରୀ କହିଛନ୍ତି ।
ଜିଲ୍ଲାର ଉନ୍ନତି ଓ ବିକାଶ କ୍ଷେତ୍ରରେ ଯେଉଁଠାରେ ଆବଶ୍ୟକତା ରହିଛି, ସେଥିରେ ପୂର୍ଣ୍ଣ ଭାବରେ ସହଯୋଗ କରିବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଜିଲ୍ଲାର ଉନ୍ନତି ଓ ବିକାଶ ପାଇଁ ଯାହା ସବୁ ଆବଶ୍ୟକ ନିଷ୍ପତ୍ତି ନିଆଯାଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବ ଏବଂ ତାହା ଅନୁମୋଦନ ହୋଇ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ବୈଠକରେ ଜିଲ୍ଲାରେ ଆବଶ୍ୟକ ଥିବା ବିଜୁଳି, ଜଳ ଓ ସଡ଼କର ସୁବ୍ୟବସ୍ଥା ଓ ଏହା ଉପରେ ଥିବା ଶତକଡ଼ା ବ୍ୟୟ ପରିମାଣ ସମ୍ପର୍କରେ ଆଲୋଚନା କରାଯାଇଛି ।
ନବରଙ୍ଗପୁର ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବାରୁ କୃଷକ ମାନଙ୍କ ପାଇଁ ଆବଶ୍ୟକ ଜଳସେଚନର ସୁବ୍ୟବସ୍ଥା କରିବା ପାଇଁ ବୈଠକରେ ଲୋକ ପ୍ରତିନିଧିମାନେ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ମହାମାରୀ କରୋନାର ସଫଳ ମୁକାବିଲା କ୍ଷେତ୍ରରେ ଜିଲ୍ଲା ପ୍ରଶାସନର ଅଗ୍ରଣୀ ଭୂମିକାକୁ ପ୍ରଶଂସା କରିଛନ୍ତି ମନ୍ତ୍ରୀ । ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କୋରୋନା ସଂକ୍ରମିତ ଓ ମୃତ୍ୟୁହାର କମ୍ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଓ ଦିଗଦର୍ଶନ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ମନ୍ତ୍ରୀ କହିଛନ୍ତି ।