ଭୁବନେଶ୍ବର: ରାଜଧାନୀରେ ବାତ୍ୟା ଫନି ପରେ ଖେଳିଯାଇଛି ଘନ ଅନ୍ଧାର । ନିଶବ୍ଦ ରାତିରେ ପରିଣତ ହୋଇଛି ସ୍ମାର୍ଟସିଟି । ଆଉ ଏଭଳି ସ୍ଥିତିରେ ଲୋକଙ୍କୁ ବିଦ୍ୟୁତ ଓ ପାନୀୟ ଯୋଗାଣ ସେବା ଯୋଗାଇ ଦେବାକୁ ଯୁଦ୍ଧକାଳୀନ ଭିତ୍ତିରେ ଅଣ୍ଟା ଭିଡିଛି ସରକାର । ଧୀରେ ଧୀରେ କରି ସ୍ୱାଭାବିକ ହେଉଛି ବିଦ୍ୟୁତ ସେବା । କେନ୍ଦ୍ରାପଡ଼ା ଜିଲ୍ଲାରେ 75 ପ୍ରତିଶତ ସମ୍ପୁର୍ଣ୍ଣ ହୋଇଥିବାବେଳେ ଆଉ 3 ରୁ 4 ଦିନରେ ବିଦ୍ୟୁତ ସେବା ସ୍ୱାଭାବିକ ହେବ।
ଭୁବନେଶ୍ବର ସହରର 60 ପ୍ରତିଶତ ଅଞ୍ଚଳକୁ ଜଳ ଯୋଗାଣ ସମ୍ଭବ ହୋଇପାରିଛି । ହେଲେ ମୁଣ୍ଡଳୀ ବ୍ୟାରେଜରୁ ଜଳ ସଂଯୋଗ ବିଳମ୍ବ ହେତୁ ବାକି ଅଞ୍ଚଳରେ ଜଳ ଯୋଗାଣ ବିଳମ୍ବିତ ହେଉଛି। ଆସନ୍ତାକାଲି ସୁଦ୍ଧା ଏହା ସ୍ୱାଭାବିକ ହେବାର ସମ୍ଭାବନା ରହିଥିବା କହିଛନ୍ତି ଶକ୍ତି ସଚିବ ହେମନ୍ତ ଶର୍ମା । ଏହାସହ ପୁରୀ ଓ ଭୁବନେଶ୍ୱରରେ ଯୁଦ୍ଧକାଳୀନ ଭିତ୍ତିରେ ଗଛ କଟା ଓ ବିଦ୍ୟୁତ ସେବା ଯୋଗାଇବା ପାଇଁ ଉଦ୍ୟମ ଚାଲିଥିଲେ ବି ପରିସ୍ଥିତି କେବେ ସ୍ୱାଭାବିକ ହେବ ସେନେଇ ବିଭାଗ ପକ୍ଷରୁ ଆକଳନ କରିବା କଷ୍ଟକର ବୋଲି କହିଛନ୍ତି ଶକ୍ତି ସଚିବ।