ଭୁବନେଶ୍ବର: ମତଦାତାଙ୍କୁ ଟାଣିବା ପାଇଁ ମାଗଣା ସେବାକୁ ଅସ୍ତ୍ର ବନାଉଛନ୍ତି ରାଜନୈତିକ ଦଳ । ମାଗଣା ସେବା ବା ଫ୍ରିବିଜ୍ ନେଇ ଦେଶର ରାଜନୀତି ସରଗରମ ହୋଇଛି । ଫ୍ରିବିଜ୍ ଚକ୍କରରେ ଅନେକ ରାଜ୍ୟ ଏବେ ଦେବାଳିଆମୁହାଁ ବୋଲି କେତେଜଣ ପ୍ରମୁଖ ସଚିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଚେତାବନୀ ଦେଇଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି କହିଛି ରାଜ୍ୟରେ ସ୍ଥିତି ଠିକ ଅଛି । କୌଣସି ଆସୁବିଧା ନାହିଁ ବୋଲି ବିଜେଡି ସାଂସଦ କହିଛନ୍ତି ।
ବିଜେଡି ଶାସିତ ଓଡିଶା ସରକାର ଦୀର୍ଘ 22 ବର୍ଷ ହେଲା କ୍ଷମତାରେ ରହିଛି । ଏହି ସମୟରେ ବିଭିନ୍ନ ଯୋଜନା ମଧ୍ୟ କରିଛନ୍ତି ରାଜ୍ୟ ସରକାର । ଜନ୍ମରୁ ମୃତ୍ୟୁ ଯାଏଁ ବିଭିନ୍ନ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେଉଛି । କୃଷକଙ୍କ ଲାଗି କାଳିଆ ଓ ବଳିଆ ଯୋଜନା, ନିଜସ୍ଵ ଖାଦ୍ୟ ସୁରକ୍ଷା ଯୋଜନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଏହି ଭଳି ପ୍ରାୟ 50 ରୁ ଅଧିକ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେଉଛି । ବିଜେଡି ସରକାର ଯୋଜନା ମାଧ୍ୟମରେ ଲୋକଙ୍କୁ ଟଙ୍କା ବାଣ୍ଟୁଥିବା ନେଇ ବିଭିନ୍ନ ସମୟରେ ବିରୋଧୀ ଅଭିଯୋଗ କରିଛନ୍ତି ।