ଭୁବନେଶ୍ବର: କୋରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଓଡିଶା ସମେତ ସାରା ଦେଶରେ ଲକଡାଉନ ଜାରି ହୋଇଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାର ହିତାଧିକାରୀଙ୍କୁ ଚାଉଳ ଓ ଡାଲି ପ୍ରଦାନ କରାଯିବ । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ମାସକୁ ମୁଣ୍ଡପିଛା ୫ କେଜି ଲେଖାଏଁ ଚାଉଳ ବିନା ମୂଲ୍ୟରେ ତିନି ମାସ ପାଇଁ ଦିଆଯିବ ।
ଏପ୍ରିଲ, ମେ ଓ ଜୁନ ମାସ ପାଇଁ ଏହି ଚାଉଳ ବଣ୍ଟନ କରାଯିବ । ଚାଉଳ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଶନିବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ ହିତାଧିକାରୀଙ୍କୁ ଏହି ତିନି ମାସର ଚାଉଳ ସହିତ ପରିବାର ପିଛା ମାସକୁ ଏକ କେଜି ହରଡ ଡାଲି ୩ ମାସ ପାଇଁ ବିନା ମୂଲ୍ୟରେ ଯୋଗାଇଦେବାକୁ କୁହାଯାଇଛି । ଏଥିପାଇଁ ତୁରନ୍ତ ଚାଉଳ ଓ ଡାଲି ଉଠାଣ ସହ ପରିବହନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।