ଭୁବନେଶ୍ବର:ଗିରଫ ହେଲେ କୋଟିପତି ଅଙ୍ଗନବାଡି ଦିଦି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ କୋରଡକଣ୍ଟା ଅଙ୍ଗନବାଡି ଦିଦି କବିତା ମଥାନ ଗିରଫ । ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ଝାରପଡା ଜେଲକୁ ପଠାଯାଇଛି ।
ତେବେ ସମ୍ପୃକ୍ତ ଅଙ୍ଗନବାଡି କର୍ମୀଙ୍କ ନିକଟରୁ ଜବତ ହୋଇଥିବା ୪ କୋଟି ସ୍ଥାବର ଅସ୍ଥାବର ସମ୍ପତ୍ତିରୁ ୨ କୋଟି ୯୬ ଲକ୍ଷ ୩୯ ହଜାର ୪୭୫ ଟଙ୍କାର ସମ୍ପତ୍ତି ଆୟ ବହିର୍ଭୂତ ବୋଲି ଭିଜିଲାନ୍ସ କହିଛି । ସୂଚନା ଅନୁଯାୟୀ, ପିସି ଆକ୍ଟରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ସେଲ ଟିମ୍ । ମଙ୍ଗଳବାର ସମ୍ପୃକ୍ତ ଅଙ୍ଗନବାଡି କର୍ମୀଙ୍କ ବାସଭବନ ସମେତ 6 ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ।
ଗତକାଲିର ରେଡ୍ ପରେ କବିତା ମଥାନଙ୍କ 4 କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ମାସିକ 7 ହଜାର 500 ଟଙ୍କା ଦରମା ପାଉଥିବା ଅଙ୍ଗନବାଡି କର୍ମଚାରୀ କିପରି କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି । ତାଙ୍କ ସମ୍ପତ୍ତିରେ 4ଟି ବିଲ୍ଡିଂ ସହ 14ଟି ପ୍ଲଟ ରହିଛି । ଭୁବନେଶ୍ବରର 10ଟି ନାମୀଦାମୀ ସ୍ଥାନରେ ପ୍ଲଟ ସହ ଜଗତସିଂହପୁରରେ 3ଟି ଓ ଖୋର୍ଦ୍ଧା ବାଲିଅନ୍ତାରେ ଗୋଟିଏ ପ୍ଲଟ ରହିଥିବା ଠାବ କରିଛି ଭିଜିଲାନ୍ସ ।