ଓଡିଶା

odisha

ETV Bharat / city

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଦେହାନ୍ତ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ - ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଦେହାନ୍ତ

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଦେହାନ୍ତ । 1995 ରୁ 1998 ଯାଏଁ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ଥିଲେ ହେମାନନ୍ଦ । 1989ରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଅଧିକ ପଢନ୍ତୁ

ହେମାନନ୍ଦ ବିଶ୍ବାଳ
ହେମାନନ୍ଦ ବିଶ୍ବାଳ

By

Published : Feb 25, 2022, 8:42 PM IST

Updated : Feb 25, 2022, 10:03 PM IST

ଭୁବନେଶ୍ବର: ଓଡିଶା କଂଗ୍ରେସର ବରିଷ୍ଠ ନେତା । ପଶ୍ଚିମ ଓଡିଶାର ଅନ୍ୟତନ କ୍ଷମତାଶାଳୀ ରାଜନେତା । ତଥା ବିଶିଷ୍ଟ ଆଦିବାସୀ ରାଜନେତା । ସର୍ବୋପରି ରାଜ୍ୟର ପ୍ରଥମ ଆଦିବାଶୀ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଦେହାନ୍ତ । ଆଜି ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ 83 ବର୍ଷ ବୟସରେ ଦେହାନ୍ତ ହୋଇଛି । ଏନେଇ ତାଙ୍କ ଝିଅ ତଥା ବିଜେଡି ନେତ୍ରୀ ସୁନୀତା ବିଶ୍ବାଳ ସୂଚନା ଦେଇଛନ୍ତି ।

ପଞ୍ଚାୟତ ରାଜନୀତିରୁ ଆରମ୍ଭ କରି ପାର୍ଲାମେଣ୍ଟ ପର୍ଯ୍ୟନ୍ତ ପହଞ୍ଚିଥିବା ସ୍ବର୍ଗତ ବିଶ୍ବାଳ ସତୁରି ଦଶକରେ ରାଜନୀତି ଆରମ୍ଭ କରିଥିଲେ । ପ୍ରଥମ ଥର ପାଇଁ 1974 ମସିହାରେ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ଲଗାତାର 1977 , 1980, 1985, 1990, 1995, 2000 ଓ ଶେଷଥର ପାଇଁ 2004 ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ନିଜ ରାଜନୈତିକ ଜୀବନରେ ମୋଟ ଥର ବିଧାୟକ ଥିବା ହେମାନନ୍ଦ ସଂସଦକୁ ମଧ୍ୟ ଯାଇଥିଲେ । 2009 ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟରୁ ସୁନ୍ଦରଗଡ ଲୋକସଭା ଆସନରୁ ପ୍ରଥମ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ସେହିପରି 1985 ମାର୍ଚ୍ଚରୁ 1986 ଡିସେମ୍ବର ପର୍ଯ୍ୟନ୍ତ ସେତେବେଳର କଂଗ୍ରେସ ସରକାରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । 1989 ଡିସେମ୍ବର 7 ରୁ 1990 ମାର୍ଚ୍ଚ 5 ତାରିଖ ସ୍ବଳ୍ପ ସମୟ ପାଇଁ ପ୍ରଥମ ଥର ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ଦ୍ବିତୀୟ ଥର ପାଇଁ 1999 ଡିସେମ୍ବର 6 ରୁ 2000 ମାର୍ଚ୍ଚ 5 ପର୍ଯ୍ୟନ୍ତ 8 ମାସ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମୋଟ ଉପରେ ହେମାନନ୍ଦ 2 ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେମାନନ୍ଦଙ୍କ ମୁଖ୍ୟମନ୍ତ୍ରୀ ପରେ ପରେ କଂଗ୍ରେସ ଆଉ ରାଜ୍ୟରେ କ୍ଷମତାକୁ ଫେରି ନାହିଁ । ସେହିଭଳି ହେମାନନ୍ଦ 1998 ମେ 6 ରୁ 1999 ଡିସେମ୍ବର 27 ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କମିଟି ସଭାପତି ଦାୟିତ୍ବରେ ଥିଲେ ।

ବର୍ଷ 1939 ଡିସେମ୍ବର 1 ରେ ଅବିଭକ୍ତ ସୁନ୍ଦରଗଡ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ହେମାନନ୍ଦ ବିଶ୍ବାଳ । ଆଜି ତାଙ୍କର ବାର୍ଦ୍ଧକ୍ୟ ଜନିତ ମୃତ୍ୟୁରେ ସାରା ରାଜ୍ୟ ଶୋକବ୍ୟକ୍ତ କରିଛି। ଏହାସହ ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ରାଜ୍ୟ ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଅନେକ କଂଗ୍ରେସ ନେତା ଓ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Feb 25, 2022, 10:03 PM IST

ABOUT THE AUTHOR

...view details