ଭୁବନେଶ୍ବର:କଂଗ୍ରେସର ଟାଣୁଆ ଆଦିବାସୀ ନେତା ତଥା ସୁନ୍ଦରଗଡ ତଳସରାର (Sundargarh Talsara) ପୂର୍ବତନ ବିଧାୟକ ଡ. ପ୍ରଫୁଲ୍ଲ ମାଝୀ ଆଜି ବିଦ୍ଧିବଧ ଭାବେ ଶାସକ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଆଜି ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳରେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।
ବିଜେଡିରେ ସାମିଲ ହେବାପରେ ପ୍ରଫୁଲ୍ଲ କହିଛନ୍ତି କଂଗ୍ରେସରେ ନା ନେତୃତ୍ବ ଅଛି, ନା ନୀତି ଅଛି । ଦଳରେ ଚରମ ବିଶୃଙ୍ଖଳା ଜାରି ରହିଛି । ଦଳ ତାଙ୍କୁ ଖାଲି ଅବହେଳା କରିନାହିଁ ଅପମାନିତ ମଧ୍ୟ କରିଛି । ଏହି ଧାରା ସାରା ଦେଶରେ ଜାରି ରହିଛି । ଦଳ ଏବେ ନିମ୍ନଗାମୀ ହେବାରେ ଲାଗିଛି । ରାଜ୍ୟ କଂଗ୍ରେସ ନେତୃତ୍ବ ଦିଶାହୀନ ହୋଇପଡିଛି । ତେଣୁ କଂଗ୍ରେସ ଛାଡିବାକୁ ବାଧ୍ୟ ହୋଇଥିବା କହିଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ପ୍ରଫୁଲ୍ଲ କହିଛନ୍ତି ସେ ଜଣେ ସଫଳ ଓ ଦକ୍ଷ ନେତା । ଖାଲି ଦେଶ ନୁହେଁ ସାରା ବିଶ୍ବ ପାଇଁ ଆଦର୍ଶ ମୁଖ୍ୟମନ୍ତ୍ରୀ । ତାଙ୍କ ଚିନ୍ତାଧାରା ବିକାଶ ମୂଳକ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ପ୍ରଫୁଲ୍ଲ । ଆଗାମୀ ଦିନରେ ଦଳ ଯାହା ଦାୟିତ୍ବ ଦେବ ତାହାକୁ ସେ ତୁଳାଇବେ ବୋଲି କହିଛନ୍ତି ।