ଭୁବନେଶ୍ବର :ପର୍ଯ୍ୟଟକଙ୍କ ନିମନ୍ତେ ୪ଟି ଶୀତତାପ ନିୟନ୍ତ୍ରିତ ଜଙ୍ଗଲ ସଫାରୀ ଯାନ ଲୋକାର୍ପଣ । ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି (ବୁଧବାର) ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡ ଅଧୀନସ୍ତ ଗୋଡ଼ିବାରୀରେ ଏହା ଲୋକାର୍ପଣ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଗୋଡ଼ିବାରୀ, ଭରତପୁର ଏବଂ ଡେରାସକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏହି ବ୍ୟବସ୍ଥା ଅଧିକ ଉପଯୋଗୀ ହେବ । ଆଗାମୀ ଦିନରେ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଏହା ଆକର୍ଷିତ କରିବ ବୋଲି ସେ କହିଛନ୍ତି । ୬୧ ଲକ୍ଷ ୭୮ ହଜାର ଟଙ୍କା ବ୍ୟୟରେ ପ୍ରତ୍ୟେକ ୧୩ ସିଟ୍ ବିଶିଷ୍ଟ ଆରାମଦାୟକ ଏହି ଯାନଗୁଡ଼ିକରେ ଦର୍ଶକମାନେ ସୁବିଧାରେ ବସି ସଫାରୀ ଭ୍ରମଣକୁ ଉପଭୋଗ କରିପାରିବେ ।
ପ୍ରତ୍ୟେକ ସଫାରୀ ଯାନ ପାଇଁ ପର୍ଯ୍ୟଟକ ଗାଇଡର ବ୍ୟବସ୍ଥା ମଧ୍ୟ କରାଯାଇଛି । ୪ଟି ଜଙ୍ଗଲ ସଫାରୀ ଯାନ ମଧ୍ୟରୁ ୨ଟି ଗୋଡ଼ିବାରୀରେ ଏବଂ ୨ଟି ଭରତପୁର ସଂରକ୍ଷିତ ଜଙ୍ଗଲରେ ଦର୍ଶକଙ୍କ ପରିଭ୍ରମଣ ପାଇଁ ନିୟୋଜିତ ରହିବ । ଏସବୁ ଯାନଗୁଡ଼ିକରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୫ ଜଣ ଯୁବକଙ୍କୁ ଡ୍ରାଇଭର ଏବଂ ପର୍ଯ୍ୟଟକ ଗାଇଡ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଫଳରେ ସେମାନଙ୍କର ଜୀବନଜୀବିକାକୁ ସୁରକ୍ଷିତ କରାଯାଇପାରିଛି । ପୂର୍ବରୁ ୮ ସିଟ୍ ବିଶିଷ୍ଟ ୫ଟି ଏବଂ ୧୨ ସିଟ୍ ବିଶିଷ୍ଟ ୪ଟି ଜଙ୍ଗଲ ସଫାରୀ ଯାନ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଉପଲବ୍ଧ ରହିଛି । ଗୋଡ଼ିବାରୀରେ ୨୦୧୮ ମସିହାରୁ ପର୍ଯ୍ୟଟକମାନଙ୍କ ନିମନ୍ତେ ପ୍ରକୃତି ଶିବିର କାର୍ଯ୍ୟକ୍ଷମ ଅଛି ।