ଭୁବନେଶ୍ବର: ଭାରତରେ ରହୁଥିବା ଅନୁପ୍ରବେଶକାରୀଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଦେଶର ବିଭିନ୍ନ ରାଜ୍ୟରେ ଶରଣାର୍ଥୀ ଭାବେ ରହି ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ଅନୁପ୍ରବେଶକାରୀଙ୍କୁ ଖୁବଶିଘ୍ର କରାଯିବ ଚିହ୍ନଟ । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡାରେ ଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ରାଜ୍ୟ ଗୃହ ବିଭାଗକୁ ଚିଠି ଲେଖିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର ହେଲେ ସାରା ଭାରତରୁ ଅନୁପ୍ରବେଶକାରୀ ବିଶେଷ କରି ବାଂଲାଦେଶୀଙ୍କୁ ଚିହ୍ନଟ କରି ସେମାନଙ୍କ ବିତାଡିତ କରିବା ଏକ ବଡ ଚ୍ୟାଲେଞ୍ଜ । ବିଭିନ୍ନ ଦେଶରୁ ଆସି ଭାରତରେ ବସତି ସ୍ଥାପନ କରି ଭାରତୀୟ ନାଗରିକତ୍ବ ବି ହାତେଇଛନ୍ତି । ଓଡିଶାରେ ମଧ୍ୟ ଅନେକ ଅନୁପ୍ରବେଶକାରୀ ଆସି ରହିଛନ୍ତି । ବିଶେଷକରି କୋରାପୁଟ, ମାଲକାନଗିରି, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାରେ ।
ତେବେ ଅନୁପ୍ରବେଶକାରୀମାନଙ୍କୁ ବିଦା କରିବା ପୂର୍ବରୁ ସମସ୍ତ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ଆଲୋଚନା କରୁ ବୋଲି ବିଜେଡି ଦାବି କରିଛି । ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ଏହା ଏକ ଅସମ୍ଭବ ପଦକ୍ଷେପ । ଯେହେତୁ ଏହି ଅନୁପ୍ରବେଶକାରୀମାନେ ଦୀର୍ଘ ବର୍ଷ ହେବ ବସତି ସ୍ଥାପନ କରି ରହିଲେଣି ସେମାନଙ୍କୁ ବିଦା କରିବା କଷ୍ଟକର ହେବ । ଅନୁପ୍ରବେଶକାରୀଙ୍କୁ ନେଇ ଓଡିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂ ଚୌହାନଙ୍କ ମନ୍ତବ୍ୟକୁ ନେଇ ଚକୁଳି ଖାଇଆ ଲୋକ, ବିନ୍ଧ କାହିଁ ଗଣୁଛ କହି କଟାକ୍ଷ କରିଛନ୍ତି ଶଶିକାନ୍ତ ବେହେରା ।
ତେବେ କେନ୍ଦ୍ରାପଡା ଜିଲ୍ଲାରେ ଅତ୍ୟଧିକ ଅନୁପ୍ରବେଶକାରୀ ରହୁଛନ୍ତି । ସେମାନେ ବେଆଇନ ଭାବେ ଜଙ୍ଗଲ କାଟୁଥିବା ଅଭିଯୋଗ ଆଣିଛି ଜଙ୍ଗଲ ଓ ପରିବେଶ ବିଭାଗ । ଅନ୍ୟପକ୍ଷରେ ଦେଶରେ ବର୍ଷବର୍ଷ ଧରି ରହୁଥିବା ଶରଣାର୍ଥୀମାନେ ଏବେ ଭୋଟ ବ୍ୟାଙ୍କ ପାଲଟିଥିବା ହେତୁ ସେମାନଙ୍କୁ ବାହାର କରିବା ସରକାରଙ୍କ ପାଇଁ କାଠିକର ପାଠ ହେବ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ