ଓଡିଶା

odisha

ETV Bharat / city

ବ୍ୟାଙ୍କକୁ ଅର୍ଥମନ୍ତ୍ରୀଙ୍କ ପରାମର୍ଶ: ଆର୍ଥିକ ବିକାଶ ପାଇଁ ଜରୁରୀ ଅଧିକ ଋଣ ବଣ୍ଟନ - bankers meeting in odisha

163 ତମ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍ଏଲ୍‌ବିସି) ବୈଠକ ଅନୁଷ୍ଠିତ ହୋଇଛି । ଚଳିତ ଆର୍ଥିକ ବର୍ଷରେ ପବ୍ଲିକ୍ ସେକ୍ଟର ବ୍ୟାଙ୍କଗୁଡ଼ିକ ବାର୍ଷିକ ଋଣ ଯୋଜନା ଲକ୍ଷ୍ୟ ହାସଲ ପାଇଁ ଅଧିକ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । ଅଧିକ ପଢନ୍ତୁ..

BANKକୁ ଅର୍ଥମନ୍ତ୍ରୀଙ୍କ ପରାମର୍ଶ :  ଆର୍ଥିକ ବିକାଶ  ପାଇଁ ଜରୁରୀ ଅଧିକ ଋଣ ବଣ୍ଟନ
BANKକୁ ଅର୍ଥମନ୍ତ୍ରୀଙ୍କ ପରାମର୍ଶ : ଆର୍ଥିକ ବିକାଶ ପାଇଁ ଜରୁରୀ ଅଧିକ ଋଣ ବଣ୍ଟନ

By

Published : Jun 17, 2021, 9:35 PM IST

ଭୁବନେଶ୍ବର: ଦେଶରେ ତଥା ରାଜ୍ୟର ଆର୍ଥିକ ବିକାଶ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ସର୍ବଦା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । ବିଶେଷ କରି କୋଭିଡ ସଙ୍କଟ କାଳରେ ବ୍ୟାଙ୍କର ଭୂମିକା ପ୍ରଂଶସନୀୟ । ଗୁରୁବାର ବସିଥିବା ୧୬୩ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍ଏଲ୍‌ବିସି)ର ଭର୍ଚୁଆଲ ବୈଠକରେ ଏ ନେଇ ଆଲୋକପାତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

BANKକୁ ଅର୍ଥମନ୍ତ୍ରୀଙ୍କ ପରାମର୍ଶ : ଆର୍ଥିକ ବିକାଶ ପାଇଁ ଜରୁରୀ ଅଧିକ ଋଣ ବଣ୍ଟନ

ପୂଜାରୀ ମତ ରଖିଛନ୍ତି କି, କୋଭିଡ-୧୯ ସଂକ୍ରମଣର ଦ୍ଵିତୀୟ ଲହର ଜନସାଧାରଣଙ୍କ ଜୀବନ ଓ ଜୀବିକା ଉପରେ ନକାରାତ୍ମକ ପ୍ରଭାବ ପକାଇଛି । ଆର୍ଥିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ପାଇଁ ନିରବଚ୍ଛିନ୍ନ ତଥା କ୍ରମାଗତ ଉଦ୍ୟମର ଆବଶ୍ୟକତା ରହିଛି ।

BANKକୁ ଅର୍ଥମନ୍ତ୍ରୀଙ୍କ ପରାମର୍ଶ : ଆର୍ଥିକ ବିକାଶ ପାଇଁ ଜରୁରୀ ଅଧିକ ଋଣ ବଣ୍ଟନ

ଆର୍ଥିକ କ୍ଷେତ୍ରକୁ ମଜବୁତ କରିବା ପାଇଁ ରାଜ୍ୟ ସରକାର ୨୦୨୦-୨୧ ତୁଳନାରେ ୨୦୨୧ – ୨୨ ଆର୍ଥିକ ବର୍ଷରେ ଶତକଡ଼ା ୨୨.୫ ପ୍ରତିଶତ ଅଧିକ ଋଣ ପ୍ରଦାନ କରିଛନ୍ତି । ଏ କ୍ଷେତ୍ରର ବ୍ୟାଙ୍କଗୁଡ଼ିକ ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ ହେବେ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରଗୁଡ଼ିକ ବାର୍ଷିକ ଋଣ ଯୋଜନାରେ ଶତପ୍ରତିଶତ ଲକ୍ଷ୍ୟ ହାସଲ କରିପାରିଥିବାରୁ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କମାନଙ୍କର ଉତ୍ତମ ପରିଚାଳନାକୁ ମନ୍ତ୍ରୀ ପୂଜାରୀ ପ୍ରଶଂସା କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ପବ୍ଲିକ୍ ସେକ୍ଟର ବ୍ୟାଙ୍କଗୁଡ଼ିକ ବାର୍ଷିକ ଋଣ ଯୋଜନା ଲକ୍ଷ୍ୟ ହାସଲ ପାଇଁ ଅଧିକ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ପୂଜାରୀ କହିଛନ୍ତି ।

ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ କ୍ଷେତ୍ରରେ ଅଗ୍ରାଧିକାର ଦେଇଛି । ଚଳିତ ବର୍ଷ ଋଣ ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କ ୬୦୦୨ କୋଟି ଟଙ୍କାର ଲକ୍ଷ୍ୟ ହାସଲ କରିପାରିଛନ୍ତି । ନଗଦ ଜମା ଅନୁପାତ, ଅର୍ଥନୀତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଥିବାବେଳେ ଏ ଦିଗରେ ଲକ୍ଷ୍ୟ ହାସଲ କ୍ରମାଗତ ଭାବେ ହ୍ରାସ ପାଇଛି । ରାଜ୍ୟରେ ଏହି ଅନୁପାତ ୫୬ ପ୍ରତିଶତ ରହିଛି, ଯାହାକି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ଵାରା ନିର୍ଦ୍ଧାରିତ ୬୦ ପ୍ରତିଶତ ମାନଦଣ୍ଡାଠାରୁ କମ୍ । ଏ ପରିପ୍ରେକ୍ଷୀରେ ଏସଏଲବିସି ସେମାନଙ୍କ ନିୟନ୍ତ୍ରିତ ବ୍ୟାଙ୍କମାନଙ୍କ ସହ ଆଲୋଚନା କରି ପଦକ୍ଷେପ ଦେବାର ଆବଶ୍ୟକତା ରହିଛି । କିନ୍ତୁ କୃଷି କ୍ଷେତ୍ରରେ ବାର୍ଷିକ ଋଣ ଯୋଗାଣ ଗତ ବର୍ଷଠାରୁ ଭଲ ରହିଛି ବୋଲି ମନ୍ତ୍ରୀ ମତ ରଖିଛନ୍ତି ।

ଉନ୍ନୟନ କମିଶନର ପ୍ରଦୀପ ଜେନା କହିଛନ୍ତି କି, ମହାମାରୀ କୋରୋନା ଯୋଗୁଁ ଆର୍ଥିକ ଅଭିବୃଦ୍ଧି ହ୍ରାସ ପାଇଥିବାବେଳେ ବ୍ୟାଙ୍କଗୁଡ଼ିକ ଲକଡାଉନ ଏବଂ ସଟଡାଉନ ବେଳେ ନିରବଚ୍ଛିନ୍ନ ସେବା ଦେଇ ଆସିଛନ୍ତି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକ କ୍ଷେତ୍ରର ବ୍ୟାଙ୍କମାନେ ବାର୍ଷିକ ଋଣ ପ୍ରଦାନରେ ଉତ୍ସାହଜନକ ଲକ୍ଷ୍ୟ ହାସଲ କରିପାରିଛନ୍ତି । ରାଜ୍ୟର ପ୍ରତି ଗ୍ରାମପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ନଥିବାରୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଏ ଦିଗରେ ମୁଖ୍ୟ ଶାଖା ବ୍ୟାଙ୍କଗୁଡ଼ିକ ତୁରନ୍ତ ପଦକ୍ଷେପ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ନଗଦ ଜମା ଅନୁପାତରେ ବୃଦ୍ଧି କରିବା ଦିଗରେ ସଂପୃକ୍ତ ବ୍ୟାଙ୍କମାନେ ଉଦ୍ୟମ କରିବ ପାଇଁ ଉନ୍ନୟନ କମିଶନର କହିଛନ୍ତି ।

ଚଳିତ ବର୍ଷ କୃଷକ, ଉଦ୍ୟୋଗୀ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ବ୍ୟାଙ୍କ ସେବା ପ୍ରଦାନ କ୍ଷେତ୍ରରେ ଚମ୍ପିଅନ ବ୍ୟାଙ୍କମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ପ୍ରଦାନ କରାଯିବ । କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମା ଗ୍ରାମୀଣ କ୍ଷେତ୍ରରେ ବ୍ୟାଙ୍କମାନେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରକୁ ଅଧିକ ଗୁରୁତ୍ଵ ଦେଲେ ସାମଗ୍ରିକ ଉନ୍ନତି ହୋଇପାରିବ ବୋଲି କହିଛନ୍ତି । କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ସଚିବ ସୁରେଶ କୁମାର ବଶିଷ୍ଠ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ବଳରାମ ଯୋଜନାରେ ତୁରନ୍ତ ଋଣ ପ୍ରଦାନ ପାଇଁ ବ୍ୟାଙ୍କମାନଙ୍କୁ ପରାମର୍ଶ ଦେଇଛନ୍ତି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଯେ, ଏମ୍ଏସ୍ଏମ୍ଇ କ୍ଷେତ୍ରରେ ରାଜ୍ୟ ଶତପ୍ରତିତ ଲକ୍ଷ୍ୟ ହାସଲ କରିଛି । ଆଗାମୀ ଦିନରେ ମଧ୍ୟ ଏହା ଉତ୍ସାହପ୍ରଦ ଲକ୍ଷ୍ୟ ହାସଲ କରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି।

ସେହିଭଳି ଏହି ବୈଠକରେ ଯୋଗଦେଇ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଏ.କେ. ମୀନା ନଗଦ କମ ଅନୁପାତ ହ୍ରାସ ହେଉଥିବା ବିଷୟକୁ ଅଧିକ ଗୁରୁତ୍ଵ ଦେଇଛନ୍ତି । ସେ ମତ ରଖିଛନ୍ତି କି, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ର ନଗଦ ଜମା ଅନୁପାତ ୬୦ ପ୍ରତିଶତରୁ ଅଧିକ ରହିଥିବାବେଳେ ଓଡ଼ିଶାରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଦ୍ଵାରା ନିର୍ଦ୍ଧାରିତ ନଗଦ ଜମା ଅନୁପାତ କମ ରହିଛି । ଆଗାମୀ ଦିନରେ ବ୍ୟାଙ୍କ ଗୁଡ଼ିକ ଏକ ସଫ୍ଟୱେୟାର ବ୍ୟବସ୍ଥା ମାଧ୍ୟମରେ ଏସ୍ଏଲ୍‌ବିସିକୁ ତଥ୍ୟ ଉପଲବ୍ଧ କରାଗଲେ ପରିଚାଳନା କାର୍ଯ୍ୟ ଠିକ୍ ଭାବରେ ହୋଇପାରିବ ବୋଲି ମୀନା କହିଛନ୍ତି।

ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ବୈଠକରେ ଉପସ୍ଥିତ ରହି କହିଛନ୍ତି କି, ଗ୍ରାମ୍ୟ ଅର୍ଥନୀତିର ବିକାଶର ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ସକ୍ରିୟ କାର୍ଯ୍ୟ କରିଆସୁଛନ୍ତି । ଚଳିତ ବର୍ଷ ସ୍ଵୟଂ ସହାୟକ ଗୋଷ୍ଠୀ ଲକ୍ଷ୍ୟ ହାସଲ କ୍ଷେତ୍ରରେ ଆଗୁଆ ରହିଛି । ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଶାସନ ସଚିବ ଆର୍, ରଘୁପ୍ରସାଦ ବାର୍ଷିକ ଋଣ ଯୋଜନା ଅର୍ଥ ଠିକ୍ ଭାବେ ବିତରଣ ଏବଂ ହିତାଧିକାରୀମାନଙ୍କୁ ଋଣ ଯୋଗାଣ କ୍ଷେତ୍ରରେ ବ୍ୟାଙ୍କମାନେ ଅଗ୍ରାଧିକାର ଦେବା ଆବଶ୍ୟକ ।

ଅନ୍ୟମାନଙ୍କ ମଧ୍ୟରେ ଭାରତ ସରକାରଙ୍କ ଅର୍ଥ ସେବା ବିଭାଗର ନିର୍ଦ୍ଦେଶକ ଏ.କେ. ଡେଗ୍ରା, ଏସଏଲ୍‌ବିସି ଅଧ୍ୟକ୍ଷ ତଥା ୟୁକୋ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଏ.କେ, ଗୋୟଲ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆଞ୍ଚଳିକ ନିର୍ଦ୍ଦେଶକ ଏଚ୍.ଏନ୍. ପଣ୍ଡା, ନାବାର୍ଡର ସିଜିଏମ୍ ଉଦୟ ଭାସ୍କର, ଏସ୍‌ବିଆଇର ସିଜିଏମ୍ ରୁମା ଦେ, ନିର୍ଦ୍ଦେଶକ, ଇନ୍‌ଷ୍ଟିଚ୍ୟୁସନାଲ ଫାଇନାନ୍ସ ଡ. ପ୍ରଜ୍ଞାସ୍ମିତା ସାହୁ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details