ଭୁବନେଶ୍ବର:ହୀରାକୁଦରେ ଜଳ ନିଷ୍କାସନ ଫଳରେ ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହେବ । ଏ ନେଇ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର । ଉପକୂଳ ଓଡିଶାର 6 ଜିଲ୍ଲାକୁ ଆଲର୍ଟରେ ରଖିଛନ୍ତି ସରକାର । ଲଗାଣ ବର୍ଷାରେ ରାଜ୍ୟରେ ମୋଟ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2 ଜଣ ନିଖୋଜ ଥିବା ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା ।
ଶନିବାର ସନ୍ଧ୍ୟାରେ ୪ ଜିଲ୍ଲାରେ ବନ୍ୟା! SRCଙ୍କ ସୂଚନା ଅନୁସାରେ, ଶନିବାର ସନ୍ଧ୍ୟା କିମ୍ବା ରାତି ବେଳକୁ କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର ନଦୀରେ ବନ୍ୟା ଆସିବ । ସ୍ୱଳ୍ପ, ମଧ୍ୟମ ଧରଣର ବନ୍ୟା ନେଇ ଜିଲ୍ଲା ପ୍ରଶାସନକୁ ସତର୍କ କରାଯାଇଛି । ନଦୀ ବନ୍ଧ ଗୁଡ଼ିକ ଠିକ୍ ରହିଲେ କିଛି ଅସୁବିଧା ହେବ ନାହିଁ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଦ୍ଧାର କାର୍ଯ୍ୟ ପାଇଁ ଉପକୂଳ ଜିଲ୍ଲାରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । 30ଟି ଓଡ୍ରାଫ୍ ଟିମ୍, 12ଟି ଏନଡିଆରଏଫ୍ ଟିମ୍ ସହ ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ ଓ ପୁରୀ ଜିଲ୍ଲାରେ ଏହି ଟିମ ମୁତୟନ କରାଯାଇଛି ।
ଦିନ 12ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ସେକେଣ୍ଡ ପିଛା 5 ଲକ୍ଷ 20 ହଜାର 457 କ୍ୟୁସେକ୍ ଜଳ ପ୍ରବେଶ କରୁଛି । 28ଟି ଗେଟ୍ ମାଧ୍ୟମରେ 4 ଲକ୍ଷ 80 ହଜାର 692 କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି । ସ୍ଥିତି ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର । ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ, ସର୍ବୋଚ୍ଚ ଯନ୍ତ୍ରୀ, ହୀରାକୁଦ ଡ୍ୟାମର ଯନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ତୀକ୍ଷଣ ନଜର ରଖିଛନ୍ତି । ଶନିବାର ସକାଳ ବେଳକୁ ମୁଣ୍ଡୁଳି ପାଖରେ 8 ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ।
କେନ୍ଦୁଝରରେ ହୋଇଥିବା ବର୍ଷା ଫଳରେ ବୈତରଣୀର ଜଳସ୍ତର ବଢୁଛି । ଗତକାଲି ଅପେକ୍ଷା ଆଜି ବୈତରଣୀର ଜଳସ୍ତର ବୃଦ୍ଧି ପାଇଛି । ବ୍ରାହ୍ମଣୀ ନଦୀର ଉପରମୁଣ୍ଡରେ ବର୍ଷା ହେବା ଫଳରେ ଜଳସ୍ତର ବଢ଼ିଛି । ରେଙ୍ଗାଲି ଡ୍ୟାମର ଗୋଟିଏ ଗେଟ୍ ଖୋଲାଯାଇଥିବା ଏସଆରସି ସୂଚନା ଦେଇଛନ୍ତି । ଲଗାଣ ବର୍ଷାରେ ରାଜ୍ୟରେ ମୋଟ 9 ଜଣଙ୍କ ମୃତ୍ୟୁ ହୋଇଛି । ନୂଆପଡ଼ାରେ 3 ଜଣ, କେନ୍ଦ୍ରାପଡ଼ାରେ 3 ଜଣ, ଯାଜପୁରରେ 2 ଜଣ ଏବଂ ଖୋର୍ଦ୍ଧା, ଗଞ୍ଜାମ, କେନ୍ଦୁଝର, ସୁବର୍ଣ୍ଣପୁରରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । 2 ଜଣ ନିଖୋଜ ଅଛନ୍ତି । ଜଗତସିଂହପୁରର ଜଳମଗ୍ନ ଅଞ୍ଚଳରେ ଗୃହପାଳିତ ପଶୁଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ