ଭୁବନେଶ୍ଵର:ବିଏମସିରେ ମୋଟ୍ 705ଟି ବୁଥ୍ । ସେଥିମଧ୍ୟରୁ 5ଟି ଗୋଲାପି ବା ପିଙ୍କ ବୁଥ୍ ରହିଛି । ଯାହା କେବଳ ମହିଳା ଭୋଟରଙ୍କ ପାଇଁ ଉଦ୍ଦିଷ୍ଟ । ସେହିଭଳି 5ଟି ମଡେଲ ବା ଆଦର୍ଶ ବୁଥ ରହିବ । ଏନେଇ ଆଜି ସମସ୍ତ ପ୍ରାର୍ଥୀଙ୍କୁ ସେମାନଙ୍କ ନିର୍ବାଚନ ଚିହ୍ନ ପ୍ରଦାନ କରାଯାଇଛି । ଆଜି ଠାରୁ ଆସନ୍ତା 14 ତାରିଖ 3ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ସମୟ ଥିବା ବେଳେ 14 ତାରିଖ ଅପରାହ୍ନ 5ଟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ ।
ଏଭଳି ସୂଚନା ଦେଇଛନ୍ତି ବିଏମସି ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ବାଇଁ । ସେପଟେ ପ୍ରକାଶ ପାଇଛି ଭୁବନେଶ୍ୱର ମହାନଗର ନିଗମର ଯୋଗ୍ୟ ପ୍ରାର୍ଥୀ ତାଲିକା । ମେୟର ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ସମସ୍ତ 12ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ବ କାଏମ ରହିଛି । ବିଏମସିର 67ଟି ୱାର୍ଡର କର୍ପୋରେଟର ପଦବୀ ପାଇଁ ମୋଟ 343ଟି ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ଯାଞ୍ଚ ସମୟରେ ଗତକାଲି କେବଳ ଜଣେ ସ୍ୱାଧୀନ କର୍ପୋରେଟର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି ।