ଓଡିଶା

odisha

ETV Bharat / city

ଆରମ୍ଭ ହେଲା ମିଲେଟ୍‌ ଶକ୍ତି କାଫେ, ବର୍ଷକ ମଧ୍ୟରେ ୧୫ଟି କାଫେ ଖୋଲିବାକୁ ଲକ୍ଷ୍ୟ - ଟୁକୁନି ସାହୁ

କେନ୍ଦୁଝରରେ ମୁକ୍ତାକାଶ ରେସ୍ତୋରାଁରେ ଓଡ଼ିଶାର ପ୍ରଥମ ସ୍ୱତନ୍ତ୍ର ମିଲେଟ୍‌ ଶକ୍ତି କାଫେର ଉଦ୍‌ଘାଟନ ଅବସରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଉଦ୍ୟମକୁ ପ୍ରଶଂସା କଲେ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ । ଅଧିକ ପଢନ୍ତୁ...

ଆରମ୍ଭ ହେଲା ମିଲେଟ୍‌ ଶକ୍ତି କାଫେ, ବର୍ଷକ ମଧ୍ୟରେ ୧୫ଟି କାଫେ ଖୋଲିବାକୁ ଲକ୍ଷ୍ୟ
ଆରମ୍ଭ ହେଲା ମିଲେଟ୍‌ ଶକ୍ତି କାଫେ, ବର୍ଷକ ମଧ୍ୟରେ ୧୫ଟି କାଫେ ଖୋଲିବାକୁ ଲକ୍ଷ୍ୟ

By

Published : Oct 30, 2021, 9:03 AM IST

ଭୁବନେଶ୍ବର: କେନ୍ଦୁଝରରେ ମୁକ୍ତାକାଶ ରେସ୍ତୋରାଁରେ ଓଡ଼ିଶାର ପ୍ରଥମ ସ୍ୱତନ୍ତ୍ର ମିଲେଟ୍‌ ଶକ୍ତି କାଫେ ଉଦ୍‌ଘାଟିତ । ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି । ମନ୍ତ୍ରୀ ଏହି ଅବସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଆଲୋଚନା କରି ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେ ଜିଲ୍ଲାରେ ଏହି ଭଳି ଆହୁରି ଅଧିକ କାଫେ ଖୋଲାଯିବ ବୋଲି କହିଛନ୍ତି ।

ଓଡ଼ିଶା ମିଲେଟ୍‌ ମିଶନର ବୈଷୟିକ ଏବଂ ପରିଚାଳନାଗତ ଆଭିମୁଖ୍ୟ ସମ୍ପର୍କରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ପର୍ଯ୍ୟାପ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏହି ମିଲେଟ୍‌ ଶକ୍ତି କାଫେରେ ମିଲେଟ୍‌ରୁ ପ୍ରସ୍ତୁତ ବହୁବିଧ ଖାଦ୍ୟ ସାମଗ୍ରୀ ଯେମିତି କି ରନ୍ଧାଖାଦ୍ୟ, ଖାଇବା ସାମଗ୍ରୀ, ଅଟା, ପାନୀୟ, ଜଳଖିଆ, ବେକେରୀ ସାମଗ୍ରୀ ଆଦି ବିକ୍ରୟ କରାଯିବ । ରାଜ୍ୟର ସହରାଞ୍ଚଳଗୁଡ଼ିକରେ ଆଗାମୀ ଏକ ବର୍ଷ ମଧ୍ୟରେ ଏହି ଭଳି ଆହୁରି ୧୫ଟି ମିଲେଟ୍‌ ଶକ୍ତି କାଫେ ଖୋଲାଯିବ । ସିଏସ୍‌ଆଇଆର୍‌-ସିଏଫ୍‌ଟି ଆର୍‌ଆଇ, ମହୀଶୂରର ବୈଷୟିକ ତତ୍ତ୍ୱାବଧାନରେ ଓଡ଼ିଶା ମିଲେଟ୍‌ ମିଶନ ଦ୍ୱାରା ଏଥି ପାଇଁ ଆହୁରି ଉଚ୍ଚତର ପ୍ରଶିକ୍ଷଣ ପ୍ରଦାନ କରାଯିବ ।

ରାଜ୍ୟର ମହିଳାମାନଙ୍କ ସାମାଜିକ ଓ ଆର୍ଥିକ ସଶକ୍ତିକରଣ ନିମନ୍ତେ ୨୦୦୧ ମସିହାରେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ମାଧ୍ୟମରେ ୭୦ ଲକ୍ଷ ମହିଳାଙ୍କୁ ସାମିଲ କରାଯାଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଜୀବିକା ପ୍ରଦାନ ସହ ମିଲେଟ୍‌କୁ ଏକ ପୁଷ୍ଟିଯୁକ୍ତ ଖାଦ୍ୟ ଭାବେ ବହୁଳ ବ୍ୟବହାର ନିମନ୍ତେ ୨୦୨୦ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ମିଶନ ଶକ୍ତି ଏବଂ ଓଡ଼ିଶା ମିଲେଟ୍‌ ମିଶନ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ଅନୁସାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମହାସଂଘର ସହାୟତାରେ ମିଲେଟ୍‌ ଆଧାରିତ ଖାଦ୍ୟ ସାମଗ୍ରୀର ଟିଫିନ ସେଣ୍ଟର ଏବଂ ଭ୍ରାମ୍ୟମାଣ ଖାଦ୍ୟଯାନ ସ୍ଥାପନ କରାଯିବା ସହ ଲୋକମାନଙ୍କୁ ସ୍ୱାସ୍ଥ୍ୟକର ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଛି ।

ଏହି କାର୍ଯ୍ୟକ୍ରମ ଅଧୀନରେ ଯେଉଁସବୁ ସ୍ଥାନରେ ବିକ୍ରୟ କେନ୍ଦ୍ର ଖୋଲାଯିବ ତାହାକୁ ‘ମିଲେଟ୍‌ ଶକ୍ତି’ ବ୍ରାଣ୍ଡ ନାମରେ ଅଭିହିତ କରାଯାଇଛି । ଯୋଗ୍ୟତା ଭିତ୍ତିରେ ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ଅନୁମୋଦନ କ୍ରମେ ବ୍ଲକ୍‌ ଏବଂ ଜିଲ୍ଲାସ୍ତରରେ କମିଟି ଦ୍ୱାରା ସ୍ଥିରୀକୃତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଟେଣ୍ଡର ଆହ୍ୱାନ କରାଯାଇ ଚୟନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ବଲାଙ୍ଗୀର, ଗଞ୍ଜାମ, ମୟୂରଭଞ୍ଜ, ମାଲକାନଗିରି, ନୂଆପଡ଼ା ଏବଂ ରାୟଗଡ଼ା ସମେତ ୬ଟି ଜିଲ୍ଲାର ୧୨ଟି ବ୍ଲକ୍‌ରେ ୩୨ଟି ମିଲେଟ୍‌ ଶକ୍ତି ଟିଫିନ ସେଣ୍ଟର ଖୋଲଯାଇଛି ।

ରାସନ୍‌ ସାମଗ୍ରୀ ଓ ପନିପରିବା କିଣିବା, କାଉଣ୍ଟର ପରିଚାଳନା କରିବା, ରେଜିଷ୍ଟରରେ ତଥ୍ୟ ଅପ୍‌ଡେଟ୍‌ କରିବା ଆଦି କାର୍ଯ୍ୟକୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ମଧ୍ୟରେ ସମାନ ଭାବେ ବଣ୍ଟନ କରାଯାଇଛି । ପ୍ରାୟ ସମସ୍ତ ବିକ୍ରୟ କେନ୍ଦ୍ର କାର୍ଯ୍ୟକ୍ଷମ ଅଛି । ଏହି ଏସ୍‌ଏଚ୍‌ଜି ଗ୍ରୁପ୍‌ ଦ୍ୱାରା ପରିଚାଳିତ ବିକ୍ରୟ କେନ୍ଦ୍ରଗୁଡ଼ିକରେ ବାର୍ଷିକ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଲାଭ ହେଉଛି । ପ୍ରାୟ ସମସ୍ତ ଗ୍ରାହକ ନିୟମିତ ଭାବେ ଦେୟ ପ୍ରଦାନ କରୁଥିବାବେଳେ ରପ୍ତାନୀ ପାଇଁ ଦିଆଯାଉଥିବା ଅର୍ଡରଗୁଡ଼ିକ ପାଇଁ କିଛିଦିନ ମଧ୍ୟରେ ଅର୍ଥ ପଇଠ କରାଯାଉଛି । ପ୍ରତି ମାସର କାର୍ଯ୍ୟ ଦିବସଗୁଡ଼ିକ ଆଧାରରେ ପ୍ରତ୍ୟେକ ଏସ୍‌ଏଚ୍‌ଜି ହାରାହାରି ୭ ହଜାରରୁ ୯ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି ।

ଏହି କାର୍ଯ୍ୟକ୍ରମରେ ନିୟୋଜିତ ହେବା ଦ୍ୱାରା ଏସ୍‌ଏଚ୍‌ଜି ଗ୍ରୁପର ମହିଳାମାନଙ୍କ କାର୍ଯ୍ୟଦକ୍ଷତା ବହୁ ପରିମାଣରେ ବୃଦ୍ଧି ପାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଅର୍ଥ ଉପାର୍ଜନ କରିବା ସହ ନିଜ ପରିବାରକୁ ସହଯୋଗ କରିବାରେ ସଫଳ ହୋଇପାରିଛୁ ବୋଲି ମାଲକାନଗିରି ମା' ସନ୍ତୋଷୀ ଏସ୍‌ଏଚ୍‌ଜି ମହିଳା ମତବ୍ୟକ୍ତ କରିଛନ୍ତି । ଯଦିଓ ଆମର ଉତ୍ପାଦନ ବର୍ତ୍ତମାନ ବହୁତ ଅଧିକ ହୋଇନାହିଁ ତଥାପି ଅଳ୍ପ ଆୟରେ ବି ଆମେ ବହୁତ ଖୁସି ଅଛୁ । ଆମେ ଆମ ବ୍ୟବସାୟକୁ ଆହୁରି ବୃଦ୍ଧି କରିବାକୁ ଚାହୁଁଛୁ ଯାହାଫଳରେ ପୁରୁଷମାନଙ୍କ ଉପରେ ଆମର ନିର୍ଭରଶୀଳତା କମିଯିବ ବୋଲି କହିଛନ୍ତି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକ୍‌ ବାବା ସିମିଲେଶ୍ୱର ଏସ୍‌ଏଚ୍‌ଜିର ସଦସ୍ୟାମାନେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details