ଓଡିଶା

odisha

ETV Bharat / city

ଓଡିଶା ଓ ଆନ୍ଧ୍ର ସୀମା ବିବାଦ: ବସିଲା ପ୍ରଥମ ମୁଖ୍ୟ ଶାସନ ସଚିବସ୍ତରୀୟ ବୈଠକ - ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ

ଓଡିଶା-ଆନ୍ଧ୍ରପ୍ରଦେଶ ସୀମା ବିବାଦ ସମାଧାନ ପାଇଁ ପ୍ରଥମ ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ । ଭିସି ଜରିଆରେ ଦ୍ୱିପାକ୍ଷିକ ଆଲୋଚନା । ଓଡିଶା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଆନ୍ଧ୍ରପ୍ରଦେଶ ମୁଖ୍ୟ ଶାସନ ସଚିବ ସମୀର ଶର୍ମାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା । ଅଧିକ ପଢନ୍ତୁ

first-cs-level-meeting
ବସିଲା ପ୍ରଥମ ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ; ଓଡିଶା ଓ ଆନ୍ଧ୍ର ସୀମା ବିବାଦ

By

Published : Jan 11, 2022, 9:13 PM IST

ଭୁବନେଶ୍ବର:ଓଡିଶା-ଆନ୍ଧ୍ରପ୍ରଦେଶ ସୀମା ବିବାଦ ସମାଧାନ ପାଇଁ ପ୍ରଥମ ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ । ଭିସି ଜରିଆରେ ଦ୍ୱିପାକ୍ଷିକ ଆଲୋଚନା । ଓଡିଶା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଆନ୍ଧ୍ରପ୍ରଦେଶ ମୁଖ୍ୟ ଶାସନ ସଚିବ ସମୀର ଶର୍ମାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ।

ଉଭୟ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦର ସମାଧାନ ଲାଗି ଗତବର୍ଷ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନମୋହନ ରେଡ୍ଡୀଙ୍କ ମଧ୍ୟରେ ହୋଇଥିଲା ବୈଠକ । ନିଷ୍ପତ୍ତି ଅନୁସାରେ ପ୍ରସଙ୍ଗ ଉପରେ ପାରସ୍ପରିକ ଆଲୋଚନା ପାଇଁ ଦୁଇ ରାଜ୍ୟ ମଧ୍ୟରେ ମୁଖ୍ୟ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।

ବୈଠକ ସୋହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ସମାପ୍ତ ହୋଇଥିବା ଜଣାପଡିଛି । ଅନ୍ତଃରାଜ୍ୟ ପରିବହନ, ସଡ଼କ ସଂଯୋଗ, ଉଭୟ ରାଜ୍ୟରେ ଓଡିଆ ଏବଂ ତେଲୁଗୁ ମାଧ୍ୟମ ବିଦ୍ୟାଳୟ ଏବଂ କଲେଜରେ ଶିକ୍ଷାଦାନ, ପଦବୀ ପୂରଣ ବାବଦରେ ଆଲୋଚନା ମଧ୍ୟ ହୋଇଛି । ସିକାକ୍ରୁଲମରେ ଥିବା ବି ଆର ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଚେୟାର ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ତେଲୁଗୁ ଭାଷା ଚେୟାର ପ୍ରତିଷ୍ଠା ଲାଗି ଉଭୟ ରାଜ୍ୟ ମଧ୍ୟରେ ସହମତି ପ୍ରକାଶ ପାଇଛି ।

ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରୁ ଆନ୍ଧ୍ରପ୍ରଦେଶକୁ ରାସ୍ତା ନିର୍ମାଣ ଆବଶ୍ୟକତା ଥିବା ଓଡ଼ିଶା ମୁଖ୍ୟ ଶାସନ ସଚିବ କହିଛନ୍ତି । ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ଅଞ୍ଚଳରେ ଯୋଗାଯୋଗ ସହଜ ହୋଇଛି ବୋଲି ସେ କହିଛନ୍ତି । ଓଡିଶା ସୀମାରୁ ମାଓବାଦୀ କାର୍ଯ୍ୟକଳାପ ବହୁ ମାତ୍ରାରେ କମିଛି । ଆନ୍ଧ୍ର ପଟୁ ସଡକ ଯୋଗାଯୋଗ ବଢିଲେ ଏହି ସବୁ ଅଞ୍ଚଳରେ ବାମପନ୍ଥୀ କାର୍ଯ୍ୟକଳାପ ହାସ୍ର ପାଇବ । ତେବେ ଆନ୍ଧ୍ରପ୍ରଦେଶ ମୁଖ୍ୟ ଶାସନ ସଚିବ ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି । ସେହିଭଳି ଆନ୍ଧ୍ର ଆଡୁ ପାଞ୍ଚଟି ପ୍ରମୁଖ ରାସ୍ତା ନିର୍ମାଣ କରିବାକୁ ସେ କହିଛନ୍ତି ।

ଜିଲ୍ଲା ସ୍ତରରେ ଉଭୟ ରାଜ୍ୟର ମିଳିତ ବିଭାଜନ କମିଟି ସୀମା ଅଞ୍ଚଳକୁ ଚିହ୍ନଟ କରିବେ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସ୍ପଷ୍ଟ କରିଛନ୍ତି। ଯେଉଁ ଅଞ୍ଚଳ ମାନଚିତ୍ର ସ୍ପଷ୍ଟ ଏବଂ ବିବାଦୀୟ ନୁହେଁ ଏହାକୁ ଚିହ୍ନଟ କରାଯିବ । ସେହିପରି ମାଛକୁଣ୍ଡ ମିଳିତ ହାଇଡ୍ରୋ ଇଲେକ୍ଟ୍ରିକ୍ ପ୍ରକଳ୍ପ ସହ ଜଡିତ ବିଷୟ ସଂପର୍କରେ ଉଭୟ ରାଜ୍ୟର ଶକ୍ତି ସଚିବଙ୍କ ସହ-ଅଧ୍ୟକ୍ଷତାରେ ପ୍ରକଳ୍ପ ପ୍ରଶାସନ କମିଟି (ପିଏସି) ଦ୍ୱାରା ସମୀକ୍ଷା କରାଯିବ ।

ତିନୋଟି ଛୋଟ ହାଇଡ୍ରୋ-ଇଲେକ୍ଟ୍ରିକ୍ ପ୍ରକଳ୍ପ ବାଲିମେଳା ଡ୍ୟାମ୍ ଆଙ୍ଗୁଠି, ଜାପାପୁଟ SHEP ଏବଂ ଲୋୟର ମାଛକୁଣ୍ଡ SHEP ପାଇଁ PAC ବୈଠକ ଡକାଯିବ । ସେହିଭଳି ଜଳଭଣ୍ଡାରରୁ ପାଣି ନେଉଥିବା ପମ୍ପ ଷ୍ଟୋରେଜ୍ ପ୍ରୋଜେକ୍ଟ ପାଇଁ ଉଭୟ ପାର୍ଶ୍ୱରୁ ନୋ ଅବଜେକସନ୍ ସାର୍ଟିଫିକେଟ୍ ପ୍ରଦାନ ବାବଦରେ ମଧ୍ୟ ଆଲୋଚନା ହୋଇଛି । ପାରସ୍ପରିକ ଚୁକ୍ତି ଅନୁଯାୟୀ ପ୍ରତ୍ୟେକ ରାଜ୍ୟର ଜଳ ଅଂଶକୁ ଦୃଷ୍ଟିରେ ରଖି ପ୍ରମାଣପତ୍ର ପ୍ରଦାନ କରାଯିବା ଉଚିତ ବୋଲି ମୁଖ୍ୟ ସଚିବ ସୁରେଶ ମହାପାତ୍ର କହିଛନ୍ତି ।

ଦୁଇ ରାଜ୍ୟ ମଧ୍ୟରେ ପାରସ୍ପରିକ ପରିବହନ ଚୁକ୍ତିନାମା ଲାଗୁ କରିବା ପାଇଁ OSRTC ଏବଂ APSRTC ର ପରିଚାଳନା ନିର୍ଦ୍ଦେଶକଙ୍କ ମଧ୍ୟରେ ଖୁବ୍ ଶୀଘ୍ର ଆଲୋଚନା ହେବ । ଉଭୟ ରାଜ୍ୟର ବୈଷୟିକ କମିଟି ଜଳ ସମ୍ପଦ ବିଭାଗ ଅଧୀନରେ ପ୍ରସ୍ତାବିତ ପ୍ରକଳ୍ପଗୁଡିକ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ବିଚାରବିମର୍ଷ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ଉଭୟ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ସଚିବମାନେ ଉପସ୍ଥିତ ଥିଲେ । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details