ଭୁବନେଶ୍ବର:ଶିକ୍ଷା ମନ୍ଦିରରେ ପିଲାଙ୍କ ଭବିଷ୍ୟତ ସହିତ ଖେଳ । ସାମାନ୍ୟ ଅବହେଳା ପାଇଁ ଉଚ୍ଚଶିକ୍ଷାରୁ ବଞ୍ଚିତ ଯୋଗ୍ୟ ପିଲା । ଭଦ୍ରକ ପରେ ଏବେ ରାଜଧାନୀରେ ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟ୍ରେ ନାମଲେଖା । 8 ଜଣ ଛାତ୍ରଛାତ୍ରୀଙ୍କ ବିରୋଧରେ ବିଜେବି କଲେଜ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଛି । ରାଜ୍ୟରେ ଏଭଳି ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭିନ୍ନକ୍ଷମ ସଂଘର ସମ୍ପାଦକ କହିଛନ୍ତି ।
ଜାଲ୍ ଭିନ୍ନକ୍ଷମ ସାର୍ଟିଫିକେଟ୍ ଦେଇଥିବା ଛାତ୍ରଛାତ୍ରୀମାନେ 2019-20, 2020-21 ଓ 2021-22 ଶିକ୍ଷାବର୍ଷର ହୋଇଛନ୍ତି । ଏହି ଛାତ୍ରଛାତ୍ରୀ ଯୁକ୍ତ ତିନି କଳା ବାଣିଜ୍ୟ ଓ ବିଜ୍ଞାନ ବିଭାଗର । ଏହି ଛାତ୍ରଛାତ୍ରୀ ଦାଖଲ କରିଥିବା ଭିନ୍ନକ୍ଷମ ସାର୍ଟିଫିକେଟ ଭଦ୍ରକ ଓ କଟକ CDMO ଅଫିସ ପକ୍ଷରୁ ଜାରି ହୋଇଛି ବୋଲି ଦର୍ଶାଇ ନାମ ଲେଖାଇଥିଲେ । ଏହାକୁ ନେଇ ବିଭାଗ ପକ୍ଷରୁ ଯାଞ୍ଚ ନିର୍ଦ୍ଦେଶ ପରେ କଲେଜ କର୍ତ୍ତୃପକ୍ଷ ସମସ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କର ସାର୍ଟିଫିକେଟ ଯାଞ୍ଚ କରିଥିଲେ । ଯେଉଁଥିରୁ 8 ଜଣ ଛାତ୍ରଛାତ୍ରୀଙ୍କ ନାମ ଜାଲ ସାର୍ଟିଫିକେଟରେ ନାମ ଲେଖିଛନ୍ତି ବୋଲି ଜଣାପଡିଥିଲା ।
ସମ୍ପୃକ୍ତ ଛାତ୍ରଛାତ୍ରୀ ଏହି ସାର୍ଟିଫିକେଟ୍ କେମିତି ହାତେଇଲେ ? କେଉଁଠୁ ତିଆରି କରିଥିଲେ ? ଏଥିରେ କିଏ କିଏ ସାମିଲ ? ସେ ନେଇ ତଦନ୍ତ ଜାରି ରହିଛି। ଏହାକୁ ନେଇ ବିଜେବି ସ୍ବୟଂ ଶାସିତ ମହାବିଦ୍ୟାଳୟର ପ୍ରିନ୍ସିପାଲ ନିରଂଜନ ମିଶ୍ର କହିଛନ୍ତି ଯେ ଏହି ଘଟଣା ଜଣାପଡିବା ପରେ ସମସ୍ତ ଛାତ୍ରଛାତ୍ରୀଙ୍କ ନୋଟିସ କରିବା ସହ ଉଚ୍ଚ ଶିକ୍ଷା ବିଭାଗକୁ ଜଣାଇ ଦିଆଯାଇଛି । ଏପଟେ କିନ୍ତୁ ଓଡିଶା ବ୍ଲାଇଣ୍ଡ ଆସୋସିଏସନର ସମ୍ପାଦକ କହିଛନ୍ତି ଯେ ଏହି ଘଟଣା ଏକ ଦୁଃଖଦ ଘଟଣା । ବିଭିନ୍ନ କଲେଜରେ ଅନେକ ପ୍ରକୃତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନେ ନାମ ଲେଖାଇବାରୁ ବଞ୍ଚିତ ହେଉଛନ୍ତି। ଅନେକ ପିଲାମାନେ ଜାଲ ସାର୍ଟିଫିକେଟ ଦେଖାଇ ନାମ ଲେଖାଉଛନ୍ତି ।