ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ଘାରିଛି ଅର୍ଥ ଚିନ୍ତା । କେଉଁଠୁ ଆସିବ ଟଙ୍କା, କେମିତି ଚାଲିବ ଯୋଜନା । କୋରୋନା ପାଇଁ ଅର୍ଥନୀତି ଭୁଶୁଡି ପଡିଥିବା ବେଳେ କିଭଳି ମୁକୁଳିବ ଓଡିଶା ସେନେଇ ଆରମ୍ଭ ହୋଇଛି ଅଙ୍କକଷା । ସ୍ଥିତି ଏବେ ଯାହା ରହିଛି ଆଗକୁ ଅଧିକ ବିଗିଡିବାର ସମ୍ଭାବନା ରହିଛି । ଏହାରି ଭିତରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିସାରିଛନ୍ତି କି ଆଉ କୌଣସି ପ୍ୟାକେଜ ଦିଆଯିବ ନାହିଁ । ଯେଉଁ 20 ଲକ୍ଷ କୋଟି ଟଙ୍କା ମିଳିଛି ସେତିକିରେ ସନ୍ତୁଷ୍ଟ ହେବାକୁ ପଡିବ । ତେବେ ଓଡିଶା ଭଳି ପଛୁଆ ରାଜ୍ୟ କିପରି ଆର୍ଥିକ ପରିଚାଳନା କରିବ ତାକୁ ନେଇ ଚାଲିଛି ପ୍ରସ୍ତୁତି ।
ଖର୍ଚ୍ଚକାଟ ଓ ଅଧିକ ରାଜସ୍ବ ସଂଗ୍ରହ ସରକାରଙ୍କ ପାଖେ ଦୁଇଟି ଅସ୍ତ୍ର ରହିଥିବା ବେଳେ କିଭଳି ଏହାର ମୁକାବିଲା କରିବେ ତାହା ସବୁଠୁ ବଡ଼ ପ୍ରଶ୍ନ । ତେଲେଙ୍ଗାନା,ଦିଲ୍ଲୀ, ମହାରାଷ୍ଟ୍ର, ତ୍ରିପୁରା ଭଳି ରାଜ୍ୟ ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚକାଟ ଆରମ୍ଭ କରି ଦେଲେଣି । ଆହୁରି ଅନେକ ରାଜ୍ୟ ବିଚାର ବିମର୍ଷ ଚଳାଇଛନ୍ତି । ଏହାରି ଭିତରେ ଟାର୍ଗେଟରେ ରହିଛନ୍ତି ସରକାରୀ କର୍ମଚାରୀ । ମନ୍ତ୍ରୀ, ଆଇଏଏସ ଓ ଆଇପିଏସ ଭଳି ସର୍ବ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କ ଦରମାର 40 ପ୍ରତିଶତ ଅଟକାଇ ରଖିଛନ୍ତି ରାଜ୍ୟ ସରକାର । ତେବେ କର୍ମଚାରୀଙ୍କ ଦରମା କାଟ କରିବା ସପକ୍ଷରେ ନାହାଁନ୍ତି ସରକାର ।