ଭୁବନେଶ୍ବର: ଅର୍ଥଯୋଗାଣ ଏବଂ ବ୍ୟାଙ୍କ ଋଣ ପ୍ରଦାନ କ୍ଷେତ୍ରରେ ସରକାରୀ ଓ ବେସରକାରୀ ପୁଞ୍ଜିନିବେଶର ମିଳିତ ସହାୟତା ମାଧ୍ୟମରେ ଅର୍ଥନୀତିର ନିରନ୍ତର ବିକାଶ ଘଟେ । ପୁଞ୍ଜିନିବେଶ ଉଦ୍ଦେଶ୍ୟରେ ଅନୁକୂଳ ପରିବେଶ ନିର୍ମାଣ ସହିତ ଋଣ ପାଇଁ ଚାହିଦା ସୃଷ୍ଟି ଲାଗି ଆମ ସରକାର ସର୍ବଦା ଉଦ୍ୟମ କରୁଥିବାବେଳେ ବ୍ୟାଙ୍କଗୁଡ଼ିକ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ପାଇଁ ଋଣ ପ୍ରଦାନ ପରିମାଣ ବୃଦ୍ଧି କରନ୍ତୁ । ଆଜି ଅନୁଷ୍ଠିତ ୧୬୭ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଯୋଗଦେଇ ଆହ୍ବାନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଗତ କେତେବର୍ଷ ମଧ୍ୟରେ ଓଡ଼ିଶା ଦ୍ରୁତ ଆର୍ଥିକ ଅଭିବୃଦ୍ଧି ଦିଗକୁ ଅଗ୍ରସର ହୋଇଛି । ସମଗ୍ର ଦେଶରେ ଓଡ଼ିଶା ବିତ୍ତୀୟ ପରିଚାଳନା ଓ ଉତ୍ତମ ଶାସନ ପାଇଁ ନିଜର ପରିଚୟ ସୃଷ୍ଟି କରିପାରିଛି । ବାର୍ଷିକ ଋଣ ଯୋଜନା କ୍ଷେତ୍ରରେ ଶିକ୍ଷା ଏବଂ ଗୃହନିର୍ମାଣକୁ ଅଗ୍ରାଧିକାର ଦେଇ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ କରିବାର ଆବଶ୍ୟକତା ରହିଛି । ଓଡ଼ିଶାରେ ଜୀବିକା ନିର୍ବାହ ପାଇଁ କୃଷିକୁ ଅଗ୍ରାଧିକାର କ୍ଷେତ୍ର ଭାବେ ଗଣାଯାଉଛି ।
କୃଷି କ୍ଷେତ୍ରରେ ବାର୍ଷିକ ଋଣ ଯୋଜନାରେ ୪୬.୫୮୬ କୋଟି ଟଙ୍କା ଧାର୍ଯ୍ୟ ଲକ୍ଷ୍ୟ ଥିବାବେଳେ ୪୪.୨୫୩ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇ ଶତକଡ଼ା ୯୫ ଭାଗ ଲକ୍ଷ୍ୟ ହାସଲ ହୋଇଛି । MSME ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ହୋଇଥିବାବେଳେ ଏହା ସର୍ବାଧିକ ସଫଳତା ପାଇଛି । ଅଗ୍ରାଧିକାର ପ୍ରଦାନ କରାଯାଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (SHG)ମାନଙ୍କୁ ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କାର ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
୨୦୨୨-୨୩ ଆର୍ଥିକ ବର୍ଷରେ ୫-‘ଟି’ ଆଧାରରେ ମହିଳା ଏସ୍ଏଚଜିଙ୍କ ପାଇଁ ଥିବା ଋଣର ପରିମାଣକୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଆର୍ଥିକ ଅନ୍ତର୍ଭୁକ୍ତିକରଣ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ଥିବାବେଳେ ସବୁ ଅଞ୍ଚଳରେ ବ୍ୟାଙ୍କିଂ ସୁବିଧା ଉପଲବ୍ଧ ନଥିବାରୁ କିଛି ଲୋକ ସାଧାରଣ ବ୍ୟାଙ୍କିଂ ସୁବିଧାରୁ ବଞ୍ଚିତ ହେଉଛନ୍ତି । ରାଜ୍ୟରେ ୨୭୩୮ ଗ୍ରାମ ପଞ୍ଚାୟତରେ ୫୬୦୭ ସ୍ଥାୟୀ ବ୍ୟାଙ୍କ ରହିଛି ।