ଭୁବନେଶ୍ବର: ଓଡ଼ିଶାର ପୁରାତନ ଲୋକପ୍ରିୟ ଚଳଚ୍ଚିତ୍ର ପତ୍ରିକା ‘ଚଳଚ୍ଚିତ୍ର ଜଗତ’ର 44ତମ ବାର୍ଷିକ ଉତ୍ସବ 2020 ଜାନୁୟାରୀ ଆସନ୍ତା 5 ତାରିଖ ରବିବାର ଅପରାହ୍ନ 4 ଘଟିକା ସମୟରେ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେବ । ଯାହାର ସୂଚନା ଦେଇଛନ୍ତି ଚଳଚ୍ଚିତ୍ର ଜଗତର ସଂପାଦକ ଆଦିକନ୍ଦ ରାଉତ ।
ପୂର୍ବବର୍ଷ ଭଳି 2019 ମସିହାରେ ପ୍ରେକ୍ଷାଳୟରେ ମୁକ୍ତିପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର ଗୁଡିକରେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ବିବେଚିତ 25ଜଣ କଳାକାରଙ୍କୁ ଏହି ଉତ୍ସବରେ ‘ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ-୨୦୧୯’ ପ୍ରଦାନ କରାଯିବ । ଏହାସହ ଚିକିତ୍ସା, ଶିକ୍ଷା, ବିଜ୍ଞାନ, ସାହିତ୍ୟ, କୃଷି, ବୈଷୟିକ ଜ୍ଞାନ କୌଶଳ, କଳା ସ୍ଥାପତ୍ୟ ପ୍ରଭୃତି ବିଭିନ୍ନ ବର୍ଗରୁ ସମାଜର ପ୍ରତିଷ୍ଠିତ ପ୍ରତିଭାଧରୀଙ୍କୁ ସ୍ବତନ୍ତ୍ର ସମ୍ମାନ ମଧ୍ୟ ପ୍ରଦାନ କରାଯିବ ।
ଚଳିତବର୍ଷ ପ୍ରଥମ କରି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ଅକ୍ଷୟ ପରିଜା ପ୍ରଡ଼କସନ୍ସ ପକ୍ଷରୁ 10 ହଜାର ଅର୍ଥ ରାଶି ପ୍ରଦାନ କରାଯାଉଛି। ଏହି ପୁରସ୍କାର ବରିଷ୍ଠ ସାମ୍ବାଦିକ ପରୀକ୍ଷିତ ଜେନାଙ୍କୁ ପ୍ରଦାନ କରାଯିବ। ଅକ୍ଷୟ ପରିଜା ପ୍ରଡ଼କସନ୍ସ ପ୍ରାୟୋଜିତ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ଉଲ୍ଲେଖନୀୟ ଅବଦାନ ନିମିତ୍ତ ବରିଷ୍ଠ ଚଳଚ୍ଚିତ୍ର ଶିକ୍ଷାବିତ୍ ସୁରେନ୍ଦ୍ର ସାହୁଙ୍କୁ 25 ହଜାର ଅର୍ଥରାଶି, ‘ଚଳଚ୍ଚିତ୍ର ଜଗତ’ ପକ୍ଷରୁ ପ୍ରଦତ୍ତ ନିତାଇ ପାଲିତ ପୁରସ୍କାର ଏବର୍ଷ ବରିଷ୍ଠ ପ୍ରେକ୍ଷାଳୟ ମାଲିକ ଭାରତ ଭଞ୍ଜଦେଓ, ଚଳଚ୍ଚିତ୍ର ଗବେଷକ, ଅଭିନେତା, ନିର୍ଦ୍ଦେଶକ ଓ ଲେଖକ ଭୀମ ସିଂଙ୍କ ନାମରେ ନାମିତ ପୁରସ୍କାର ଅଭିନେତା ମିହିର ଦାସ ଏବଂ ସଙ୍ଗୀତ ଜଗତର ଯଜସ୍ବୀ ବ୍ୟକ୍ତିତ୍ବ ଜେଇ କ୍ୟାସେଟ୍ କମ୍ପାନୀର ପ୍ରତିଷ୍ଠାତା ସତ୍ୟନାରାୟଣ ଅଗ୍ରୱାଲଙ୍କ ନାମରେ ନାମିତ ପୁରସ୍କାର କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର ପାଇବା ପାଇଁ ମନୋନୀତ ହୋଇଛନ୍ତି । ପୁରସ୍କାର ସ୍ବରୂପ ପ୍ରତ୍ୟେକଙ୍କୁ ମାନପତ୍ର, ବସ୍ତ୍ର ଓ ସୁଦୃଶ୍ୟ ଟ୍ରଫି ସହ 10 ହଜାର ଟଙ୍କା ପ୍ରଦାନ କରାଯିବ ।