ଓଡିଶା

odisha

ETV Bharat / city

ରାଜଧାନୀ ରାଜରାସ୍ତାରେ ଗଡୁଛି ରାଧେ ମା'ଙ୍କ ଅଟୋ, ପେଟପାଉଣା ପାଇଁ ଆପଣାଇଛନ୍ତି ବୃତ୍ତି - ସ୍ବାଧୀନତା ଦିବସ ସ୍ପେଶାଲ

ଜୀବନର ଅର୍ଥ ଅଗ୍ନି ପରୀକ୍ଷା । ହେଲେ ଭାଙ୍ଗି ଯାଇନାହାନ୍ତି ସେ । ଲୋକଙ୍କ ଟାହିଟାପରାକୁ ଖାତିର ନକରି ଖୁସିରେ ଆପଣାଇଛନ୍ତି ଏହି ବୃତ୍ତି । ଦୃଢତାର ସହ ପୁରୁଷଙ୍କୁ ଟକ୍କର ଦେଇ ରାଜଧାନୀ ରାସ୍ତାରେ ଚଲାଉଛନ୍ତି ଅଟୋ । କେନ୍ଦୁଝରରୁ ଭୁବନେଶ୍ବରରେ ପହଞ୍ଚିଥିବା ସଭିଙ୍କ ପ୍ରିୟ ରାଧେ ମାଆଙ୍କ ସଂଘର୍ଷର କାହାଣୀ ଉପରେ ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ ।

ରାଜଧାନୀ ରାଜରାସ୍ତାରେ ଗଡୁଛି ରାଧେ ମା'ଙ୍କ ଅଟୋ, ପେଟପାଉଣା ପାଇଁ ଆପଣାଇଛନ୍ତି ବୃତ୍ତି
ରାଜଧାନୀ ରାଜରାସ୍ତାରେ ଗଡୁଛି ରାଧେ ମା'ଙ୍କ ଅଟୋ, ପେଟପାଉଣା ପାଇଁ ଆପଣାଇଛନ୍ତି ବୃତ୍ତି

By

Published : Aug 10, 2022, 7:24 AM IST

ଭୁବନେଶ୍ବର: ଦୃଢ଼ ଇଚ୍ଛାଶକ୍ତି, ମନରେ ଅଦମ୍ୟ ସାହସ ଏବଂ ସ୍ବାବଲମ୍ବୀ ହେବାର ଆଗ୍ରହ ଥିଲେ ଜଣେ ନାରୀ ପାଇଁ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ । ଏ କଥାକୁ ପ୍ରମାଣିତ କରିଛନ୍ତି ରାଜଧାନୀର ମହିଳା ଅଟୋ ଚାଳକ ତଥା ସଭିଙ୍କ ପ୍ରିୟ ରାଧେ ମା' । କିନ୍ତୁ ତାଙ୍କ ପ୍ରକୃତ ନାଁ ସନ୍ତୋଷୀ ଦେଓ । ଘର କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ହାଣ୍ଡିଭଙ୍ଗା ପଞ୍ଚାୟତ ଆମୁଣି ଗାଁ । ପରିସ୍ଥିତି ତାଙ୍କୁ ଆଜି ଅଟୋ ଚଳାଇବାକୁ ବାଧ୍ୟ କରିଛି । ତଥାପି ସେ ହାର ମାନିନାହାନ୍ତି । ରାଜଧାନୀରେ ହଜାର ହଜାର ପୁରୁଷ ଅଟୋ ଚାଳକଙ୍କ ଭିଡ଼ରେ ସେ ଦୃଢତାର ସହିତ ନିଜ ବୃତ୍ତି କରିଚାଲିଛନ୍ତି ।

ରାଜଧାନୀ ରାଜରାସ୍ତାରେ ଗଡୁଛି ରାଧେ ମା'ଙ୍କ ଅଟୋ, ପେଟପାଉଣା ପାଇଁ ଆପଣାଇଛନ୍ତି ବୃତ୍ତି

ଅଦମ୍ୟ ଇଚ୍ଛା ଶକ୍ତି ଆଉ ଦୃଢ଼ ନିଷ୍ଠା ବଳରେ ନିଜ ପାଇଁ ତିଆରି କରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ । ସମସ୍ତେ ତାଙ୍କୁ ସ୍ନେହରେ ଡାକନ୍ତି ରାଧେ ମା' । ରାଧେ ମାଆ କହିଲେ କେନ୍ଦୁଝରରୁ ଭୁବନେଶ୍ୱର ଯାଏଁ ସମସ୍ତେ ଚିହ୍ନନ୍ତି । ନିଜ ରୋଜଗାର ଲାଗି ସେ ଅଟୋ ଚଲାଉଛନ୍ତି । ଆଉ ସଂଘର୍ଷ କରୁଛନ୍ତି ଭୁବନେଶ୍ୱରର ରାଜରାସ୍ତାରେ । ନିଜ ରାଜ୍ୟଠୁ ଅନେକ ଦୂରରେ ହରିୟାଣାରେ ବିବାହ କରିଥିଲେ । ବିବାହ ପରେ ସ୍ବାମୀଙ୍କ ସହ ଏକ ସୁନ୍ଦର ବୈବାହିକ ଜୀବନର ସ୍ବପ୍ନ ସେ ବି ଦେଖିଥିଲେ । ହେଲେ ଶାଶୁଘର ଲୋକଙ୍କ ନିର୍ଯାତନା ଓ ସ୍ବାମୀଙ୍କ ବିରୋଧ ତାଙ୍କ ସମସ୍ତ ଆଶାକୁ ଧୂଳିସାତ୍‌ କରିଦେଲା । ଏଣେ ମାତ୍ର ୪ ବର୍ଷର ଛୋଟ ଝିଅର ଭବିଷ୍ୟତ ଗଢ଼ିବାର ଚିନ୍ତା ଘାରୁଥିଲା । ଶେଷରେ ସେ ଶାଶୁ ଘର ଛାଡ଼ି ଝିଅକୁ ନେଇ ଅଲଗା ରହିବାର ନିଷ୍ପତ୍ତି ନେଲେ । ପରିବାର ଚଳାଇବା ଲାଗି ବୃତ୍ତି ଭାବେ ବାଛି ନେଲେ ଅଟୋ ଚାଳନାକୁ ଆଉ ସ୍ବାବଲମ୍ବୀ ହେବାକୁ ଉଦ୍ୟମ କରୁଥିବା ମହିଳାଙ୍କ ଲାଗି ପାଲଟିଲେ ପ୍ରେରଣାର ଉତ୍ସ ।


ସନ୍ତୋଷୀ ଦେଓଙ୍କ କହିବା ଅନୁସାରେ, ସେ ପ୍ରଥମେ କେନ୍ଦୁଝରରେ ଅଟୋ ଚଳାଉଥିଲେ ଏବଂ ବର୍ତ୍ତମାନ ଭୁବନେଶ୍ବରରେ ଅଟୋ ଚଳାଉଛନ୍ତି । ସେ ତାଙ୍କ ଛୋଟ ଝିଅକୁ ମଣିଷ କରିବା ପାଇଁ ଏଭଳି କରୁଛନ୍ତି । ଏଥିପାଇଁ ମଧ୍ୟ ରାଜଧାନୀରେ ତାଙ୍କୁ ବହୁତ୍ ସମସ୍ୟା ଭୋଗିବାକୁ ପଡ଼ିଛି । ଏପରିକି ରାଜଧାନୀରେ ମଧ୍ୟ ତାଙ୍କଠାରୁ ଗାଡ଼ି ଚାବି ଛଡ଼ାଇ ନେଇଯାଆନ୍ତି । ସେ ନାରୀ ହୋଇ ମଧ୍ୟ ଆଜି ନିଜ ଝିଅକୁ ମଣିଷ କରିବା ପାଇଁ ବହୁତ୍ ସାହସ ଜୁଟାଇ ପାରିଛନ୍ତି । 'କେତେକ କାର୍ଯ୍ୟ କେବଳ ପୁରୁଷଙ୍କର' ସମାଜରେ ଦୀର୍ଘ ଦିନରୁ ରହିଥିବା ଏହି ଭ୍ରାନ୍ତ ଧାରଣାକୁ ଦୂର କରିବାରେ ସକ୍ଷମ ହୋଇଛନ୍ତି ମହିଳା ଅଟୋ ଚାଳକ ରାଧେ ମା' ।


ସେ କୁହନ୍ତି, "ଲୋକଙ୍କ ସମାଲୋଚନାକୁ ଖାତିର ନ କରି ଅଟୋ ଚଳାଇ ସ୍ବାବଲମ୍ବୀ ହୋଇପାରିଛି । ଧୀରେ ଧୀରେ ମୋ ବିଷୟରେ ଜାଣିବା ପରେ ଲୋକଙ୍କ ମନରେ ସ୍ନେହ ସଦ୍‌ଭାବ ବଢ଼ିଯାଇଛି । ବର୍ତ୍ତମାନ ଝିଅର ପାଠପଢ଼ାଠୁ ଆରମ୍ଭ କରି ଭୁବନେଶ୍ୱରରେ ଘର ଭଡ଼ା ନେଇ ରହିବା ସହ ଅନ୍ୟାନ୍ୟ ସମସ୍ତ ଖର୍ଚ୍ଚ ମୋ ଅଟୋ ରୋଜଗାରରୁ ତୁଲାଇ ପାରୁଥିବାରୁ ବେଶ୍‌ ଆତ୍ମସନ୍ତୋଷ ମିଳୁଛି। “ ଭୁବନେଶ୍ୱର ଭଳି ଜାଗାରେ ହଜାର ହଜାର ପୁରୁଷ ଅଟୋଚାଳକଙ୍କ ମଧ୍ୟରେ ଏକାକୀ ମହିଳା ଅଟୋଚାଳକ ଭାବେ କାର୍ଯ୍ୟ କରିବା ତାଙ୍କ ପକ୍ଷେ ଚ୍ୟାଲେଞ୍ଜିଂ ହୋଇଥିଲେ ହେଁ ସେ ସାହସର ସହ ଏହି କାର୍ଯ୍ୟ କରିଚାଲିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details