ଭୁବନେଶ୍ବର : କରୋନା ଭୁତାଣୁ ସଂକ୍ରମଣକୁ ନେଇ ସମଗ୍ର ଦେଶ ଭୟରେ ଆତଙ୍କିତ । ଏହାକୁ ନେଇ ରାଜ୍ୟ ସରକାର ରାଜ୍ୟକୁ ବିପର୍ଯ୍ୟୟ ଭାବରେ ଘୋଷଣା କରିଛନ୍ତି । ତେଣୁ ରେଳବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଜ୍ୟର ବିଭିନ୍ନ ରେଳ ଷ୍ଟେସନରେ କରୋନା ସଂକ୍ରମଣକୁ ନେଇ ସଚେତନତା ସୃଷ୍ଟି କରାଯାଉଛି ।
ସମସ୍ତ ଟ୍ରେନ ଓ ପ୍ରତିକ୍ଷାଳୟରେ ହାତ ଧୋଇବା ପାଇଁ ସାନିଟାଇଜରର ବ୍ୟବସ୍ଥା କରାଯାଇଛି । ରେଳ ଷ୍ଟେସନରେ କରୋନା ସନ୍ଦିଗ୍ଧଙ୍କ ଉପରେ କଡାକଡି ଭାବରେ ନଜର ରଖାଯାଇଛି । ଏହାସହ ରେଳ ଷ୍ଟେସନରେ ଏକ ହେଲ୍ପ ଡେସ୍କ ଖୋଲାଯାଇଛି । ଏମିତି କି ରେଳ ଷ୍ଟେସନ ସଫାସୁତରା ରଖିବା ସହ ଗହଳି ପୂର୍ଣ୍ଣ ଅଞ୍ଚଳରେ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି ।
ରେଳ ଷ୍ଟେସନରେ ଯେହେତୁ ଏତେ ସଂଖ୍ୟାରେ ସ୍କ୍ରିନିଙ୍ଗ କରିବା ସମ୍ଭବପର ନୁହେଁ, ଏନେଇ ଲୋକମାନଙ୍କୁ ସଚେତନତା କରାଯାଉଛି । ପୂର୍ବତଟ ରେଳବାଇ ପକ୍ଷରୁ ଏକ ବଡ ପଦକ୍ଷପ ନିଆଯାଇଛି । ଭୁବନେଶ୍ବର ହେଉ ଅବା ପୁରୀ ଟ୍ରେନର ପ୍ରତ୍ୟକ କୋଚକୁ ପରିଷ୍କାର କରାଯିବ । ଟ୍ରେନରେ ରହିଥିବା ସିଟର ବ୍ଲାଙ୍କେଟ ବା ବେଡ଼ସିଟ ଆଦିକୁ ବ୍ୟବହାର କରାଯିବ ନାହିଁ । ପୂର୍ବରୁ ଏହି ବେଡ଼ସିଟ ଗୁଡିକ 4 -5 ଦିନରେ ଥରେ ସଫା କରାଯାଇଥାଏ । ତେଣୁ ଏହି କାରଣକୁ ନେଇ କୌଣସି କୋଚରେ ବ୍ଲାକେଟ ରଖାଯିବନି । ତା ବଦଳରେ ଏସିର ଟେଂପ୍ରେଚରକୁ ନରମାଲ କରାଯାଇଛି, ତାସହିତ ଏସି କୋଚରେ ଝରକା ପାଖରେ ଯେଉଁ କପଡା ସ୍କ୍ରିନ ଲାଗୁଥିଲା ସେଗୁଡିକ ମଧ୍ୟ କଢାଯାଇଛି ।