ଭୁବନେଶ୍ବର: ବଂଶବାଦ ରାଜନୀତି ଭିତରେ କେବେ ନିର୍ବାଚନ ଲଢିବ ସାଧାରଣ ଜନତା ? ବର୍ତ୍ତମାନର ପରିବାରରବାଦ ରାଜନୀତି ମଧ୍ୟରେ ସାଧାରଣ ଜନତା ଟିଏ କରିପାରିବ କି ରାଜନୀତି । ଦେଶରୁ ଶେଷ ହେବ କି ପରିବାରବାଦ ରାଜନୀତି । ବିଜେପି କଂଗ୍ରେସ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଆଞ୍ଚଳିକ ରାଜନୈତିକ ଦଳ ପରିବାରବାଦ ରାଜନୀତିରେ ଲଗାଇବେ କି ବ୍ରେକ ? ଏବେ ଏହି ପ୍ରଶ୍ନ ସାରା ଦେଶରେ ଉଠିଛି । ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦି ବଂଶବାଦ ରାଜନୀତିକୁ ନେଇ ସ୍ବର ତୀବ୍ର କରିବା ପରେ ପୁଣି ଥରେ ଚର୍ଚ୍ଚା ଯୋର ଧରିଛି ।
ଭାରତ ତଥା ଓଡିଶାରେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ କେଉଁଟା ଗ୍ରହଣ ଯୋଗ୍ୟ । କଂଗ୍ରେସ ହେଉ କି ବିଜେଡି ଅବା କେନ୍ଦ୍ରରେ ବିଜେପି ସବୁଠି ଲାଗି ରହିଛି ପରିବାରବାଦ ରାଜନୀତି । ପିଢି ପରେ ପିଢି ଆସୁଛନ୍ତି, ରାଜନୀତିରେ ସାମିଲ ହେଉଛନ୍ତି । ଅମିତ ଶାହାଙ୍କ ପୁଅ, ରାଜନାଥ ସିଂହଙ୍କ ପୁଅ ରାଜନୀତିରେ । ଓଡିଶାରେ ବିଶ୍ବଭୂଷଣ ହରିଚନ୍ଦନଙ୍କ ପୁଅ ମଧ୍ୟ ରାଜନୀତିରେ ସକ୍ରିୟ ଅଛନ୍ତି । କଂଗ୍ରେସରେ ଜବାହାର ଓ ଇନ୍ଦିରାଙ୍କ ଅମଳରୁ ଏହା ଚାଲିଆସିଛି । ବିଜେଡିରେ ବି ପ୍ରଫୁଲ୍ଲ ଘଡେଇ, ଦାମ ରାଉତ ଏବଂ ବିଜୟଶ୍ରୀ ରାଉତରାୟ, ଦିବଂଗତ ପ୍ରଦୀପ ମହାରଥୀଙ୍କ ପରି ନେତାଙ୍କ ପୁଅ ମାନେ ସକ୍ରିୟ ରାଜନୀତିରେ ସାମିଲ ହୋଇଛନ୍ତି । ଏଠି ବଡ ପ୍ରଶ୍ନ ରାଜନୀତି କରିବାକୁ ଚାହୁଁଥିବା ସାଧାରଣ ଲୋକଟିଏ କିପରି କରିବ ରାଜନୀତି ?
ଏହାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଗଣତାନ୍ତ୍ରିକ ରାଷ୍ଟ୍ରରେ ଲୋକେ ଯାହାକୁ ଚାହିଁବେ ସେ ରାଜନୀତି କରିପାରିବେ । ହେଲେ ରାଜ୍ୟରେ 22 ବର୍ଷ ଧରି ଶାସନ କରୁଥିବା ବିଜେଡି କରିଛି କଣ ? ବନ୍ୟା ବାତ୍ୟା ଋଣର ସାମନା କରୁଛି ରାଜ୍ୟ । କୌଣସି ସମସ୍ୟାର ସ୍ଥାୟୀ ପ୍ରତିକାର ନାହିଁ । ସରକାର କେବଳ କ୍ଷମତା ଉପଭୋଗ କରୁଛନ୍ତି ବୋଲି କହିଛନ୍ତି ।